Categories: ଜାତୀୟ

କେଜରିଓ୍ବାଲଙ୍କ ମିଶନ ପଞ୍ଜାବ

ଚଣ୍ଡିଗଡ଼,୨୯।୬: ଆସନ୍ତା ବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଏବେଠାରୁ ନିର୍ବାଚନୀ ବିଗୁଲ ବାଜିସାରିଲାଣି। ନିଜ ଦଳକୁ ମଜଭୁତ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ଏବେଠାରୁ କସ୍‌ରତ ଆରମ୍ଭ କଲେଣି। ଇତିମଧ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍‌ ଆଦମୀ ପାର୍ଟି(ଏଏପି) ମଧ୍ୟ ପ୍ରସ୍ତୁତି ଆରମ୍ଭ କରଛି। ଏଏପି ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ପାଇଁ ଏବେ ମିଶନ ପଞ୍ଜାବ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଛି। ଏଥିପାଇଁ ମଙ୍ଗଳବାର ପଞ୍ଜାବ ଗସ୍ତରେ ଅଛନ୍ତି କେଜରିଓ୍ବାଲ। ସେଠାରେ ପହଞ୍ଚି ସେ ଆସନ୍ତା ବର୍ଷ ନିର୍ବାଚନ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଦିଲ୍ଲୀ ଭଳି ପଞ୍ଜାବରେ ମଧ୍ୟ ୨୪ଘଣ୍ଟିଆ ମାଗଣା ବିଦ୍ୟୁତ୍‌ ସେବା ଯୋଗାଇଦେବାକୁ ସେ ପ୍ରତଶ୍ରୁତି ଦେଇଛନ୍ତି। ଏଥିସହ ସେ କହିଛନ୍ତି, ପଞ୍ଜାବ ନିଜେ ବିଦ୍ୟୁତ୍‌ ଉତ୍ପାଦନ କରୁଥିବା ବେଳେ ଆଜିକା ଦିନରେ ସବୁଠାରୁ ମହଙ୍ଗା ବିଦ୍ୟୁତ୍‌ ଏଠାରେ ଉପଲବ୍ଧ ହେଉଛି। କିନ୍ତୁ ଦିଲ୍ଲୀ ବିଦ୍ୟୁତ୍‌ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ଥିବା ବେଳେ ସେଠାରେ ଲୋକଙ୍କୁ ଶସ୍ତା ବିଦ୍ୟୁତ୍‌ ଯୋଗାଇଦିଆଯାଉଛି। ଯଦି ପଞ୍ଜାବରେ ଏଏପି ସରକାର ଗଠନ କରେ ତେବେ ପ୍ରତି ପରିବାରଙ୍କୁ ୩୦୦ୟୁନିଟ ଯାଏ ବିଦ୍ୟୁତ ମାଗଣାରେ ଯୋଗାଇଦିଆଯିବ ବୋଲି କେଜରିଓ୍ବାଲ କହିଛନ୍ତି। ଏହାଦ୍ୱାରା ପ୍ରାୟ ୮୦ପ୍ରତିଶତ ଲୋକଙ୍କ ବିଦ୍ୟୁତ୍‌ ବିଲ୍‌ ଶୂନ ହୋଇଯିବ। ଏଏପି ସରକାର ଗଠନ ହୁଏ ତେବେ ୨୪ଘଣ୍ଟା ବିଦ୍ୟୁତ୍‌ ଆସିବ କିନ୍ତୁ ବିଲ୍‌ ଆସିବ ନାହିଁ। ଏଥିସହ ପୁରୁଣା ବିଲ୍‌ଗୁଡ଼ିକର ଦେୟକୁ ଛାଡ଼ କରାଯିବ ବୋଲି ଏକ ଖବରଦାତା ସମ୍ମିଳନୀରେ କେଜରିଓ୍ବାଲ କହିଛନ୍ତି।

Share