Categories: ଜାତୀୟ

ହଲ୍‌ଦ୍ୱାନି ଛାଡ଼ିଲେଣି ୩୦୦ ମୁସଲମାନ ପରିବାର

ଡେରାଡୁନ୍‌,୧୪/୨:ଗତ ୮ ତାରିଖରେ ଉତ୍ତରାଖଣ୍ଡର ହଲ୍‌ଦ୍ୱାନିସ୍ଥିତ ବନଫୁଲପୁରାରେ ପୋଲିସ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ଉଚ୍ଛେଦ ଅଭିଯାନ ବେଳେ ବେଆଇନ ଭାବେ ଗଢ଼ି ଉଠିଥିବା ଏକ ମସ୍‌ଜିଦ ଓ ମଦ୍ରାସାକୁ ଭଙ୍ଗାଯାଇଥିଲା। ଏହି ଘଟଣାକୁ ନେଇ ସାମ୍ପ୍ରଦାୟିକ ହିଂସା ଘଟିଥିଲା। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬୦ ଜଣ ଆହତ ହୋଇଥିଲେ। କର୍ଫ୍ୟୁ ଜାରି ରହିଥିବା ସତ୍ତ୍ୱେ ଅନେକ ପରିବାର ନିଜ ନିଜ ଆସବାବପତ୍ର ଧରି ଅନ୍ୟତ୍ର ପଳାୟନ କରୁଥିବା ଦେଖିବାକୁ ମିଳିଛି। ହିଂସାକାଣ୍ଡ ଭିଆଇବା ଅଭିଯୋଗରେ ୩୦ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଏବେ ମଧ୍ୟ ପୋଲିସ ଆଉ କେତେଜଣଙ୍କୁ ଖୋଜୁଛି। ଆହୁରି ବହୁ ମୁସଲମାନ ପରିବାର ପଳାୟନ ପାଇଁ ସୁଯୋଗ ଖୋଜୁଥିବାବେଳେ ପୋଲିସ ବନ୍‌ଫୁଲପୁରାର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥକୁ ବନ୍ଦ କରିଦେଇଛି। ଇତିମଧ୍ୟରେ ବନଫୁଲପୁରା ହିଂସାର ମୁଖ୍ୟ ଅଭିଯୁକ୍ତ ଅବ୍‌ଦୁଲ ମଲିକଙ୍କ ନାମରେ ମହାନଗର ନିଗମ ପକ୍ଷରୁ ୨.୪୪ କୋଟି ଟଙ୍କାର ରିକଭରି ନୋଟିସ ଜାରି କରାଯାଇଛି। ସରକାରୀ ସମ୍ପତ୍ତି ଭଙ୍ଗାରୁଜା କରିବା ଅଭିଯୋଗରେ କ୍ଷତିପୂରଣ ଭରିବା ସକାଶେ ତାଙ୍କୁ ଏହି ନୋଟିସ ଦିଆଯାଇଛି। ଘଟଣା ଦିନ ‘ମଲିକ୍‌ କା ବଗିଚା’ରେ ଉଚ୍ଛେଦ କାର୍ଯ୍ୟରେ ନିୟୋଜିତ ଟିମ୍‌କୁ ଅବ୍‌ଦୁଲ ଓ ତାଙ୍କ ସମର୍ଥକମାନେ ଆକ୍ରମଣ କରିଥିଲେ। ଏଥିସହ ମହାନଗର ନିଗମର ସମ୍ପତ୍ତି ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି। ଫେବୃୟାରୀ ୧୫ ସୁଦ୍ଧା ଏହି ଟଙ୍କା ଜମା କରିବାକୁ ନୋଟିସରେ ନିର୍ଦ୍ଦେଶ ରହିଛି। ନୈନିତାଲ ଜିଲାପାଳ ବନ୍ଦନା ସିଂ କହିଛନ୍ତି, ହଲ୍‌ଦ୍ୱାନିର ବିଭିନ୍ନ ସ୍ଥାନରେ ବେଆଇନ ନିର୍ମାଣଗୁଡ଼ିକର ଉଚ୍ଛେଦ କରାଯାଇଛି। ଏହା ବିରୋଧରେ କେତେଜଣ ବ୍ୟକ୍ତି ସ୍ଥଗିତାଦେଶ ପାଇଁ ଆବେଦନ କରିଥିଲେ। କିଛି ସ୍ଥାନରେ ଉଚ୍ଛେଦ ବନ୍ଦ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅବଶିଷ୍ଟ ସ୍ଥାନଗୁଡ଼ିକରେ ଉଚ୍ଛେଦ କରାଯାଇଛି।

Share