Categories: ବାଣିଜ୍ୟ

୩୦ଜିଲାରେ ଖୋଲିବ ୩୦୦ନୂଆ ପୋଷ୍ଟ ଅଫିସ

ଭୁବନେଶ୍ୱର,୧୦।୧୦: (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭାରତୀୟ ଡାକ ବିଭାଗ ପକ୍ଷରୁ ନ୍ୟାଶନାଲ ପୋଷ୍ଟାଲ ଉଇକ୍‌ (ଜାତୀୟ ଡାକ ସପ୍ତାହ) ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଡାକ ବିଭାଗର ଓଡିଶା ସର୍କଲ ଭୁବନେଶ୍ୱର ପକ୍ଷରୁ ବୁଧବାର ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ଅବସରରେ ଡାକ ବିଭାଗର ବହୁ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ୨୦୨୪ ଅକ୍ଟୋବର ୭ରୁ ୧୧ ପର୍ଯ୍ୟନ୍ତ ଜାତୀୟ ଡାକ ସପ୍ତାହ ପାଳନ କରାଯାଉଛି। ଏପରିକି ୧୮୭୪ ଅକ୍ଟୋବର ୯ରେ ୟୁନିଭରସାଲ ପୋଷ୍ଟାଲ ୟୁନିଅନର ଗଠନ ପରଠାରୁ ପ୍ରତି ବର୍ଷ ଅକ୍ଟୋବର ୯କୁ ବିଶ୍ୱ ଡାକ ଦିବସ ଓ ୟୁନିଅନର ବାର୍ଷିକ ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ଡାକ ଦିବସ ବିଷୟବସ୍ତୁ ‘ ଦେଶ-ଦେଶ ମଧ୍ୟରେ ଯୋଗାଯୋଗ ସମ୍ଭବ କରିବା ଏବଂ ଜନସଶକ୍ତୀକରଣ କରିବାର ୧୫୦ ବର୍ଷ’ ରହିଛି।

ଏ ସମ୍ପର୍କରେ ଓଡ଼ିଶା ପୋଷ୍ଟାଲ ସର୍କଲ ଭୁବନେଶ୍ୱରର ଡେପୁଟି ଡିଭିଜନାଲ ମ୍ୟାନେଜର (ଡାକ ଜୀବନ ବୀମା) ସତ୍ୟବାଦୀ ବିଶ୍ୱାଳ କହିଥିଲେ, ଡାକ ବିଭାଗ ପୂର୍ବପେକ୍ଷା ଯଥେଷ୍ଟ ଉନ୍ନତ ଓ ବିକାଶମୂଳକ କାର୍ଯ୍ୟ କରୁଛି। ସେହିଭଳି ଚଳିତ ବର୍ଷ ଓଡ଼ିଶାର ୩୦ ଜିଲାରେ ପ୍ରାୟ ୩୦୦ ନୂଆ ଡାକ ଘର ଖୋଲିବାର ଯୋଜନା ଥିଲାବେଳେ ଡାକ ଘର ଜରିଆରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସାମାଜିକ କଲ୍ୟାଣ ଯୋଜନା ଓ ଡାକ ବିଭାଗର ଲୋକାଭିମୁଖ୍ୟ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଉଭୟ ଡାକ ବିଭାଗ ଓ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏପରିକି ବିଭାଗର ଆଭିମୁଖ୍ୟ ଅନୁଯାୟୀ ଭିତ୍ତିଭୂମିର ବିକାଶ ସାଙ୍ଗକୁ ଡାକ ସେବା ଓ ସୁବିଧା ଲୋକଙ୍କ ନିକଟରେ ପହଞ୍ଚାଇବାକୁ ହେବ ବୋଲି ସତ୍ୟବାଦୀ ବିସ୍ତୃତ ଭାବେ ଆଲୋକପାତ କରିଥିଲେ।

Share