Advertisement

ଡିସେମ୍ବର ସୁଦ୍ଧା ହିତାଧିକାରୀଙ୍କୁ ମିଳିବ ୩୦୦ଟଙ୍କାର ଶୀତ ସହାୟତା

ଭୁବନେଶ୍ବର, ୨୫ା୧୧(ବ୍ୟୁରୋ): ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଆରମ୍ଭ ହୋଇଗଲାଣି। ଶୁକ୍ରବାର ରାଜ୍ୟରେ ଶୀତ ଲହରି ଏବଂ ଗରିବ ଲୋକଙ୍କୁ ଶୀତ ସହାୟତା ଯୋଗାଇବା ସମ୍ପର୍କରେ ଏକ ସମୀକ୍ଷା ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଶୀତ ପ୍ରକୋପକୁ ଦୃଷ୍ଟିରେ ରଖି ଗରିବ ଲୋକ ବିଶେଷକରି ବରିଷ୍ଠ ନାଗରିକଙ୍କୁ ସୁରକ୍ଷିତ ରଖିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଡିସେମ୍ବର ପହିଲା ସୁଦ୍ଧା ସବୁ ହିତାଧିକାରୀଙ୍କୁ କମ୍ବଳ କିଣିବା ପାଇଁ ୩୦୦ ଟଙ୍କା ଲେଖାଏ ଶୀତ ସହାୟତା ଭାବେ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ବାରା ମଧୁବାବୁ ପେନ୍‌ସନ ଯୋଜନା ଓ ଜାତୀୟ ପେନ୍‌ସନ ଯୋଜନା (ଏନ୍‌ଏସ୍‌ଏପି) ଅନ୍ତର୍ଗତ ୪୮ ଲକ୍ଷରୁ ଊଦ୍ଧର୍‌ବ ହିତାଧିକାରୀ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ୧୪୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହାସହ ଶୀତ ପ୍ରବାହ ସମୟରେ କେହି ଯେପରି ଖୋଲା ସ୍ଥାନରେ ଅସହାୟ ଭାବେ ନ ରୁହନ୍ତି ସେଥିପ୍ରତି ବିଶେଷ ଦୃଷ୍ଟିଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ପଞ୍ଚାୟତିରାଜ ବିଭାଗ, ନଗର ଉନ୍ନୟନ ବିଭାଗ ତଥା ଜିଲାପାଳ ଓ ମ୍ୟୁନିସିପାଲ କର୍ତ୍ତୃପକ୍ଷମାନେ ତୁରନ୍ତ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share