୩୦୦ ତାଲିବାନ୍‌ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…

କାବୁଲ,୨୩।୮: ଆଫଗାନିସ୍ତାନର ଏକମାତ୍ର ଅଞ୍ଚଳ ପଞ୍ଜଶୀର ତାଲିବାନର ନିୟନ୍ତ୍ରଣ ବାହାରେ ରହିଛି। କାର୍ଯ୍ୟକାରୀ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ପଞ୍ଜଶୀରକୁ ତାଲିବାନ ଦଖଲକୁ ନ ଦେବା ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି। ସାଲେହ ପଞ୍ଜଶୀରକୁ ଯାଉଥିବା ସଲାଙ୍ଗ ରାଜପଥକୁ ବନ୍ଦ କରିଦେଇଛନ୍ତି। ପଞ୍ଜଶୀର ଅଭିମୁଖେ ଯାଉଥିବା ଅନ୍ଦ୍ରାବ ଘାଟିରେ ଆଫଗାନିସ୍ତାନ ସୈନ୍ୟ ବାହିନୀର ନର୍ଦନ ଆଲାଏନ୍ସ ଆକ୍ରମଣରେ ବହୁ ତାଲିବାନ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ଏହାପୂର୍ବରୁ ବାଗଲାନର ଜବଲ-ଇ-ସିରାଜରେ ୩୦୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି। ବାଗଲାନ ପ୍ରଦେଶ ଅହମ୍ମଦ ମାସୁଦଙ୍କ ନର୍ଦନ ଆଲାଏନ୍ସ ସହଯୋଗରେ ତାଲିବାନ ଦଖଲରୁ ମୁକ୍ତ କରାଯାଇଛି। ଆଫଗାନିସ୍ତାନର ୩୪ ଟି ପ୍ରଦେଶର ମଧ୍ୟରୁ ଦୁଇଟି ତାଲିବାନ ଅଧୀନରେ ନାହିଁ। ଆତଙ୍କବାଦୀ ଜୀବନ ଭୟରେ ୩୦ଟି ସଶସ୍ତ୍ର ଯାନ, ଲ୍ୟାଣ୍ଡମାଇନ ଏବଂ ଅସ୍ତ୍ରଶସ୍ତ୍ର ଛାଡି କାବୁଲକୁ ପଳାଇଛନ୍ତି। କାବୁଲଠାରୁ ବାଗଲାନ ପ୍ରାୟ ୨୬୩ କିଲୋମିଟର ଦୂରରେ ଅବସ୍ଥିତ। ଅନ୍ଦ୍ରାବ ପ୍ରଦେଶରେ ମୁହାଁମୁହିଁ ହେବା ପରେ ତାଲିବାନ ପଞ୍ଜଶୀର ଉପତ୍ୟକାର ପ୍ରବେଶ ଦ୍ୱାର ନିକଟରେ ଆତଙ୍କବାଦୀଙ୍କୁ ଏକାଠି କରିବା ଆରମ୍ଭ କରିଛି। ସୂଚନାଯୋଗ୍ୟ, ପଞ୍ଜଶୀରକୁ ଦଖଲ କରିବା ତାଲିବାନ ଲାଗି କଷ୍ଟକର ହେବ। ଏହି ଅଞ୍ଚଳ ନର୍ଦନ ଆଲାଏନ୍ସର ଏକ ଗଡ଼। ଏହାର ଚାରିଆଡେ ଉଚ୍ଚ ପାହାଡ ରହିଛି। ପାହାଡ଼ ଉପର ଏୟାରବେସ୍‌ରେ ନର୍ଦନ ଆଲାଏନ୍ସର ଯୁଦ୍ଧବିମାନ ରହିଛି। ଏଭଳି ପରିସ୍ଥିତିରେ ପଞ୍ଜଶୀର ତାଲିବାନ ଆତଙ୍କବାଦୀଙ୍କ ପାଇଁ ଅଭେଦ ଦୁର୍ଗ ସାବ୍ୟସ୍ତ ହେଉଛି। ସୋଭିଏତ୍‌ ଯୁଦ୍ଧରେ ମଧ୍ୟ ଏହି ଅଞ୍ଚଳକୁ ଜୟ କରିବା ସମ୍ଭବ ହୋଇ ନ ଥିଲା।

Share