Categories: ଜାତୀୟ

ଏୟାରଷ୍ଟ୍ରାଇକ୍‌ରେ ମରିଥିଲେ ୩୦୦ ଆତଙ୍କବାଦୀ

ନୂଆଦିଲ୍ଲୀ, ୧୦।୧: ୨୦୧୯ ଫେବୃୟାରୀ ୧୪ରେ ଜମ୍ମୁ-କଶ୍ମୀରର ପୁଲ୍‌ଓ୍ବାମା ସେକ୍ଟରରେ ଆତଙ୍କବାଦୀଙ୍କ ବିସ୍ଫୋରଣରେ ୪୦ ସିଆର୍‌ପିଏଫ୍‌ ଯବାନ ଶହୀଦ ହେବା ପରେ ଏହାର ପ୍ରତିଶୋଧ ନେବାକୁ ଯାଇ ଭାରତୀୟ ବାୟୁସେନା ସେହିବର୍ଷ ଫେବୃୟାରୀ ୨୬ରେ ପାକିସ୍ତାନର ବାଲାକୋଟ ଉପରେ ଏୟାରଷ୍ଟ୍ରାଇକ୍‌ କରିଥିଲା। ଏଥିରେ ୩୦୦ ଆତଙ୍କବାଦୀ ମରିଥିଲେ ବୋଲି ପାକିସ୍ତାନର ଜଣେ ପୂର୍ବତନ କୂଟନୀତିଜ୍ଞ ଆଘା ହିଲାଲି ପ୍ରଥମ ଥର ପାଇଁ ସ୍ବୀକାର କରିଛନ୍ତି। ଏୟାରଷ୍ଟ୍ରାଇକ୍‌ରେ କେହି ମୃତାହତ ହୋଇ ନ ଥିବା ଇସ୍‌ଲାମାବାଦ ଦାବି କରିଆସୁଥିଲା। ଖାଇବର ପାଖତୁନ୍‌ଖ୍ବାର ବାଲାକୋଟ୍‌ସ୍ଥିତ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନା ଆକ୍ରମଣ କରିବା ପରେ ସେଠାରେ କେହି ଆତଙ୍କବାଦୀ ନ ଥିଲେ ବୋଲି ଇସ୍‌ଲାମାବାଦ ସେତେବେଳେ କହିଥିଲା। ହିଲାଲି କହିଛନ୍ତି, ଭାରତ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରି ଯୁଦ୍ଧ ଭଳି କାର୍ଯ୍ୟ କରିଥିଲା। ଏଥିରେ ଅନୂ୍ୟନ ୩୦୦ ନିହତ ହୋଇଥିଲେ। ଆମେ ସେମାନଙ୍କ ହାଇକମାଣ୍ଡଙ୍କୁ ଟାର୍ଗେଟ କରିଥିଲୁ ବୋଲି ହିଲାଲି କହିଛନ୍ତି। ସୂଚନାଯୋଗ୍ୟ, ବାୟୁସେନା ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କୁ ପାକିସ୍ତାନ ଛାଡ଼ି ନ ଥିଲେ, ଭାରତ ସେଦିନ ରାତିରେ ଆକ୍ରମଣ କରିଥାନ୍ତା ବୋଲି ପାକ୍‌ ବହିର୍ବ୍ୟାପାର ମନ୍ତ୍ରୀ ଶାହ ମହମ୍ମଦ କୁରେଶୀ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ କହିଥିବା କଥା ଗତବର୍ଷ ଅକ୍ଟୋବରରେ ପାକ୍‌ ନ୍ୟାଶନାଲ ଆସେମ୍ବ୍ଲିରେ ମୁସ୍‌ଲିମ୍‌ ଲିଗ୍‌-ଏନ୍‌ ନେତା ଅୟାଜ୍‌ ସାଦିକ୍‌ କହିଥିଲେ।

Share