୩ ହଜାର ଟପିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୨୮।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୩ ହଜାର ଟପିଛି। ଏହା ୩ ହଜାର ୩୦୩ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୯ ରହିଛି। ଏହି ସମୟରେ ସକ୍ରିୟ ମାମଲା ୧୬ ହଜାର ଟପିଛି। ଏହା ୧୬ ହଜାର ୮୯୦ ରହିଛି।

ସେହିପରି ୨୪ ଘଣ୍ଟାରେ ୨ ହଜାର ୫୬୩ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୩ ହଜାର ୬୯୩ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୦ ଲକ୍ଷ ୬୮ ହଜାର ୭୯୯ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୫ ଲକ୍ଷ ୨୮ ହଜାର ୧୨୬ ଜଣ ସୁସ୍ଥ ହୋଇ ସାରିଛନ୍ତି।

ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ସର୍ବାଧିକ ୧,୩୬୭ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ହରିୟାଣାରେ ୫୩୫ ଜଣ, କେରଳରେ ୩୪୧ ଜଣ, ଉତ୍ତରପ୍ରଦେଶରେ ୨୫୮ ଜଣ, ମହାରାଷ୍ଟ୍ରରେ ୧୮୬ ଜଣ କର୍ନାଟକରେ ୧୨୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୮୮ କୋଟି ୪୦ ଲକ୍ଷରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୪୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୦ କୋଟି ୯୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି।

ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି।

Share