୩୦୦୦ ଲିଟର ମଦ ନାଳରେ ଢଳାଗଲା…

କାବୁଲ, ୩।୧ : ଆଫଗାନିସ୍ତାନର ତାଲିବାନ ସରକାର ଦେଶରେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏହା ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି। ଏହା ଅନ୍ତର୍ଗତ ରବିବାର ଆଫଗାନିସ୍ତାନ ଗୁପ୍ତଚର ଏଜେଣ୍ଟମାନେ କାବୁଲର ଏକ ନାଳରେ ୩୦୦୦ ଲିଟର ଜବତ ହୋଇଥିବା ମଦ ଢାଳି ଦେଇଛନ୍ତି। ଏହାର ଭିଡିଓ ମଧ୍ୟ ସୋସିଆଲ ମିଡ଼ିଆରେ ଅପଲୋଡ୍‌ କରାଯାଇଛି।

ଯାହା ଦ୍ୱାରା ବେଆଇନ ମଦ ବିକ୍ରେତାମାନେ ସାବଧାନ ହେବେ ବୋଲି ତାଲିବାନ ସରକାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି। ଏଭଳି ବ୍ୟକ୍ତି ବିଶେଷଙ୍କୁ ତାଲିବାନ ସରକାର କବଳରୁ କେହି ରକ୍ଷା କରିପାରିବେ ନାହିଁ ବୋଲି ସୂଚନା ଜାରି ହୋଇଛି।

ଜେନେରାଲ ଡାଇରେକ୍ଟୋରେଟ ଅଫ ଇଣ୍ଟେଲିଜେନ୍ସ (ଜିଡିଆଇ) ଦ୍ୱାରା ଏହି ଭିଡିଓ ଅପଲୋଡ ହୋଇଛି। ଏଥିରେ ଜିଡିଆଇର ଏଜେଣ୍ଟମାନେ ଡ୍ରମରେ ଭର୍ତ୍ତି ହୋଇଥିବା ମଦକୁ ନାଳରେ ଢାଳୁଥିବା ଦେଖିବାକୁ ମିଳୁଛି। କାବୁଲରେ ହୋଇଥିବା ଚଢ଼ାଉରେ ଏହି ମଦ ଜବତ କରାଯାଇଥିଲା। ଗିରଫ କରାଯାଇଥିବା ମଦ ବିକ୍ରେତାମାନଙ୍କୁ ହ୍ୟାଣ୍ଡକଫରେ ବାୟୋନେଟର ମୂନରେ ଧାଡ଼ି କରି ଠିଆ କରାଯାଇଥିଲା। ଜିଡିଆଇ ପକ୍ଷରୁ ଏହି ଭିଡିଓକୁ ରବିବାର ଟୁଇଟରରେ ପୋଷ୍ଟ କରାଯାଇଛି।

 

Share