୩ ହଜାର ଯୁବତୀ ଯୁବକଙ୍କୁ ମିଳିବ ଶିକ୍ଷାଦାନ ତାଲିମ

ଭୁବନେଶ୍ୱର,୨୮।୬(ଅନୁରାଧା ମହାରଣା): ‘ମୋ କଲେଜ ଅଭିଯାନ ପରିଚାଳନା ସଙ୍ଗଠନ’ ଏବଂ ‘ଥିଙ୍କ୍‌ ଜୋନ୍‌’ ମଧ୍ୟରେ ଏକ ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ଥିଙ୍କ୍‌ ଜୋନ୍‌ ଫେଲୋଶିପ୍‌ ପ୍ରୋଗ୍ରାମ ନାମରେ ଏହି କାର୍ଯ୍ୟକ୍ରମ ଚାଲିବ। ମଙ୍ଗଳବାର ‘ମୋ କଲେଜ ଅଭିଯାନ ପରିଚାଳନା ସଙ୍ଗଠନ’ର ଅଧ୍ୟକ୍ଷ ଆକାଶ ଦାସ ନାୟକ ଏବଂ ଥିଙ୍କ୍‌ ଜୋନ୍‌ର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିନାୟକ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଏମ୍‌ଓୟୁ ସ୍ବାକ୍ଷର କରିଛନ୍ତି। ଏହି ଫେଲୋଶିପ୍‌ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ କଲେଜରୁ ୩ହଜାର ଛାତ୍ରୀଛାତ୍ରଙ୍କୁ ପ୍ରଶିକ୍ଷଣ ଦିଆଯିବ। ୧୮ରୁ ୨୬ ବର୍ଷ ବୟସର ଛାତ୍ରୀଛାତ୍ର କିମ୍ବା ସ୍ନାତକ ବା ସ୍ନାତକୋତ୍ତର ସାରିଥିବା ଯୁବତୀ ଯୁବକମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ। ଗ୍ରାମାଞ୍ଚଳ, ଅର୍ଦ୍ଧସହରାଞ୍ଚଳ, ବିଶେଷ ସୁବିଧା ନ ଥିବା ସହରାଞ୍ଚଳରୁ ଆସୁଥିବା ଛାତ୍ରୀଛାତ୍ରମାନେ ଆସନ୍ତା ୨ବର୍ଷ ପର୍ଯ୍ୟନ୍ତ ନିଜ ଅଞ୍ଚଳରେ ପିଲାଙ୍କୁ କିଭଳି ଗୁଣାତ୍ମକ ଶିକ୍ଷା ଦେଇପାରିବେ ତାହା ଉପରେ ପ୍ରଶିକ୍ଷଣ ଦିଆଯିବ। ପିଲାମାନେ ତାଲିମ ନେବା ପରେ ନିଜ ଅଞ୍ଚଳର ପ୍ରାୟ ୧୫ହଜାର କୁନି ପିଲାଙ୍କୁ ଭାଷା ଓ ଗଣିତ ପାଠ ପଢ଼ାଇବେ। କାର୍ଯ୍ୟକ୍ରମରେ ଯୋଗାଯୋଗ, ଡିଜିଟାଲ୍‌ ଦକ୍ଷତା ସହ ସୋସିଆଲ୍‌ ମିଡିଆର ବ୍ୟବହାର, ଅଣୁ ଉଦ୍ୟୋଗ, ଶ୍ରେଣୀଗୃହ ପରିଚାଳନା, ପ୍ରାଥମିକ ଛାତ୍ରୀଛାତ୍ରଙ୍କୁ ଓଡ଼ିଆ, ଇଂଲିଶ ଓ ଗଣିତ ପାଠ ଶିଖାଇବା, ନେତୃତ୍ୱ ନେବା, ଖେଳକୁଦ ମାଧ୍ୟମରେ କୁନି ପିଲାଙ୍କୁ ଶିକ୍ଷା ଦେବାର ବିଭିନ୍ନ କୌଶଳ ଉପରେ ପ୍ରଶିକ୍ଷଣ ଦିଆଯିବ। କଟକ, କେନ୍ଦ୍ରାପଡ଼ା ଏବଂ ଖୋର୍ଦ୍ଧା ଜିଲାର ସମସ୍ତ କଲେଜରେ ଏହି କାର୍ଯ୍ୟକ୍ରମ ହେବ। ଛାତ୍ରୀଛାତ୍ରଙ୍କୁ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ମାଧ୍ୟମରେ ପ୍ରଶିକ୍ଷଣ ମିଳିବ। ମୋଟ୍‌ ୧୨୦ ଘଣ୍ଟା ସେମାନେ ଏହି ପ୍ରଶିକ୍ଷଣରେ ବିତାଇବେ। ମାଗଣାରେ ପ୍ରଶିକ୍ଷଣ ପ୍ରଦାନ ସହ ପ୍ରମାଣପତ୍ର ଦିଆଯିବ। ଏପରିକି ପିଲାଙ୍କୁ ପଢ଼ାଇବା ପାଇଁ ଯୁବତୀ ଯୁବକଙ୍କୁ ଆର୍ଥିକ ସହାୟତା ମିଳିବ। ଏହି ଏମ୍‌ଓୟୁ ସମ୍ପର୍କରେ ‘ମୋ କଲେଜ’ ଅଧ୍ୟକ୍ଷ ଦାସନାୟକ କହିଛନ୍ତି, ବର୍ତ୍ତମାନ ସମୟରେ ବୈଷୟିକ ଶିକ୍ଷାର ଗୁରୁତ୍ୱ ସବୁଠୁ ଅଧିକ ରହିଛି। ଛାତ୍ରୀଛାତ୍ରମାନେ ଏକ୍ଷେତ୍ରରେ ଅଧିକରୁ ଅଧିକ ଦକ୍ଷ ହେବା ଦରକାର। ଏସମ୍ପର୍କରେ ଥିଙ୍କ୍‌ ଜୋନ୍‌ର ପ୍ରତିଷ୍ଠାତା ଆଚାର୍ଯ୍ୟ କହିଲେ, ଏହି ପ୍ରଶିକ୍ଷଣ ଛାତ୍ରୀଛାତ୍ରଙ୍କୁ ଶିକ୍ଷା କ୍ଷେତ୍ରରେ ନିଜର ଭବିଷ୍ୟତ ଗଠନ ଦିଗରେ ସହଯୋଗ କରିବ।
ସୂଚନା ଥାଉ କି, ବର୍ତ୍ତମାନ ସୁଦ୍ଧା ଥିଙ୍କ୍‌ ଜୋନ୍‌ ଗ୍ରାମାଞ୍ଚଳ ଓ ସହରାଞ୍ଚଳରୁ ପ୍ରାୟ ୬ହଜାର ଯୁବତୀଯୁବକଙ୍କୁ ପ୍ରଶିକ୍ଷିତ କରିସାରିଛି। ଏମାନଙ୍କ ମଧ୍ୟରୁ ୪୨୧୪ ଛାତ୍ରୀଛାତ୍ର ଫେଲୋଶିପ୍‌ ପୂରଣ କରି ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି। ବର୍ତ୍ତମାନ ଏହାର କାର୍ଯ୍ୟକ୍ରମ ଭଦ୍ରକ, କଟକ, ଯାଜପୁର, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଏବଂ ଖୋର୍ଦ୍ଧା ଜିଲାରେ ଚାଲୁଛି।

Share