ପଟ୍ଟାମୁଣ୍ଡାଇ,୨୫ା୧୨(କଳ୍ପତରୁ ନାୟକ): ୨୦୦୯ର ସରକାରୀ ତଥ୍ୟ ଅନୁଯାୟୀ ୨୦୧୫ରେ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ା ଜିଲାରେ ୧,୬୪୯ ବାଂଲାଦେଶୀ ଅନୁପ୍ରବେଶକାରୀ ମହାକାଳପଡ଼ା, ରାଜନଗର ଅଞ୍ଚଳରେ ରହୁଥିବା କହିଥିଲେ। ହେଲେ ୨୦୦୯ ମସିହାରେ ବାଂଲାଦେଶୀଙ୍କ ସଂଖ୍ୟା ୮୦ ହଜାରରୁ ଊର୍ଦ୍ଧ୍ୱ ଥିବାବେଳେ ଏବେ ୨ ଲକ୍ଷରୁ ଅଧିକ ହୋଇଗଲାଣି। ଏମାନେ ପ୍ରାୟ ୩୦ ହଜାର ଏକର ଜଙ୍ଗଲ ଜମି ସଫାକରି ଜୋରଜବରଦସ୍ତ ଘର କରି ରହିଆସୁଛନ୍ତି ବୋଲି ସ୍ଥାନୀୟ ଲୋକେ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ଏଠାରେ ସେମାନେ ଜଙ୍ଗଲ ଜମିକୁ ଅକ୍ତିଆର କରିବା ଫଳରେ ବନ୍ୟଜନ୍ତୁ ଗାଁ ମୁହାଁ ହେଉଛନ୍ତି। ଅନ୍ୟପକ୍ଷରେ ୨୦୦୦ ମସିହାରେ ରାଜନଗର ବ୍ଲକ ତାଳଚୁଆ ପଞ୍ଚାୟତ ବଣିପାଳ ଗ୍ରାମରେ ନକଲି ରେଡିଓ ଷ୍ଟେଶନ କରି ବିଭିନ୍ନ ତଥ୍ୟ ବାଂଲାଦେଶ ପ୍ରେରଣ କରୁଥିବା ନେଇ ଜିଲାପାଳ ଜାଣିବା ପରେ ତାହାକୁ ସିଲ୍ କରିଥିଲେ। ୨୦୦୨ରେ କନକନଗର ଗ୍ରାମରେ ଅନୁପ୍ରବେଶକାରୀମାନେ ଭାରତର ଜାତୀୟ ପତାକାକୁ ଗୋଡ଼ରେ ଦଳି ବାଂଲାଦେଶୀ ପତାକା ଉତ୍ତୋଳନ କରିଥିଲେ, ଯାହାକି ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା। କେନ୍ଦ୍ରାପଡ଼ାର ତତ୍କାଳୀନ ଏସ୍ପି ଦୟାଲ ଗଙ୍ଗୱାର ସେମାନଙ୍କୁ ଗିରଫ କରିଥିଲେ। ଏଥିସହ ମୂଲ୍ୟବାନ ମୂର୍ତ୍ତି ଚୋରି ରାକେଟର ମଧ୍ୟ ୧୫ ବାଂଲାଦେଶୀ ଅଭିଯୁକ୍ତ ଗିରଫ ହୋଇଥିଲେ। ସେତେବେଳେ କେତେଜଣ ସ୍ଥାନୀୟ ନେତା ଭୋଟ ବ୍ୟାଙ୍କ ଲୋଭରେ ବାଂଲାଦେଶୀଙ୍କୁ ଥଇଥାନ କରାଇଥିଲେ। ଏବେ ସେମାନଙ୍କ ସଂଖ୍ୟା ବଢ଼ିବା ସହ ରାଜନୈତିକ ଛତ୍ରଛାୟା ତଳେ ରହି ସରକାରୀ ସୁବିଧା ହାତେଇ ନେଉଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ମାଗଣା ଚାଉଳକୁ ଭୁଟୁଭୁଟି ମାଧ୍ୟମରେ ବାଂଲାଦେଶକୁ ନେଉଛନ୍ତି। ରାଜ୍ୟ ସରକାର, ଜିଲା ପ୍ରଶାସନ ଓ ଉପକୂଳ ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀମାନେ ଏଥିପ୍ରତି ଆଖିବୁଜି ଦେଇଥିବାରୁ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଆଗକୁ ଆହୁରି ବୃଦ୍ଧି ପାଇବ ବୋଲି ସ୍ଥାନୀୟ ଲୋକ ଆଶଙ୍କା ପ୍ରକାଶ କରିଛନ୍ତି।
ପ୍ରତିବର୍ଷ ଅନେକ ଶହ ଅନୁପ୍ରବେଶକାରୀ ଆସି ଛୋଟ ଛୋଟ ପଲା ମାରି ବସତି ସ୍ଥାପନ କରୁଛନ୍ତି। ପରେ ଭଲ ଘର କରି କୌଶଳକ୍ରମେ ଭୋଟର ଲିଷ୍ଟରେ ନାମ ଚଢ଼ାଇବା ସହ ସ୍ଥାୟୀ ବାସିନ୍ଦା ହେଉଛନ୍ତି। ଟ୍ରଲର ଚାଳକ ଭାବେ ବାଂଲାଦେଶ ସହ ସମ୍ପର୍କ ସ୍ଥାପନ ରଖୁଛନ୍ତି। ତଥ୍ୟ ପ୍ରେରଣ ପାଇଁ ନିଜନିଜ ଘରେ ଭିଏଚଏଫ୍, ୟୁଏଚଏଫ୍, ରେଡିଓ ତରଙ୍ଗ, ଇଲେକ୍ଟ୍ରୋନିକ୍ ନେଭିଗେଶନ୍, ମେରାଇନ୍ ଏଆର୍ୱେବ ଭଳି ବିଭିନ୍ନ ସରଞ୍ଜାମ ଲଗାଇଛନ୍ତି। ଜିଲାରେ ୩ଟି ସାମୁଦ୍ରିକ ଥାନା ରହିଥିବାବେଳେ ଏଠାରେ ଆବଶ୍ୟକ କର୍ମଚାରୀଙ୍କ ଅଭାବ ରହିଛି। ପୋଲିସ ପ୍ରଶାସନର ଢ଼ିଲା ନୀତି ଯୋଗୁ ଉପକୂଳରେ ଏମାନେ ଅନାୟାସରେ ଅପରାଧ ଘଟାଇ ଫେରାର ହେବାରେ ସକ୍ଷମ ହେଉଛନ୍ତି। ପ୍ରଶାସନ ପକ୍ଷରୁ ଅଙ୍କୁଶ ଲଗା ନ ଗଲେ ଖୁବ୍କମ ଦିନ ମଧ୍ୟରେ କେନ୍ଦ୍ରାପଡ଼ା ଜିଲା ଉପକୂଳ ଅଞ୍ଚଳର ଜଙ୍ଗଲ ଜମି ଏମାନଙ୍କ ଦଖଲକୁ ଚାଲିଯିବା ଆଶଙ୍କା ସୃଷ୍ଟି ହୋଇଛି। ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ଜିଲାରେ କେତେ ଶାରଣାର୍ଥୀ ଅଛନ୍ତି, ସେନେଇ ୨୦୧୪ରେ ପ୍ରଶାସନ ପକ୍ଷରୁ ଏକ କମିଟି ଗଠନ କରାଯାଇଥିଲା। ଜିଲାର ସମସ୍ତ ବିଡିଓ ଏବଂ ତହସିଲଦାରଙ୍କୁ ସେ ସମ୍ପର୍କରେ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ କୁହାଯାଇଥିଲା। କିନ୍ତୁ ପରେ ରାଜନୈତିକ ଚାପ ଯୋଗୁ ଏହା ସମ୍ଭବ ହୋଇପାରି ନ ଥିଲା। ବାଂଲାଦେଶୀଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଛି। କେହି ସେମାନଙ୍କ ବିରୋଧରେ ପାଟି ଖୋଲିଲେ ଜୀବନ ପ୍ରତି ବିପଦ ରହୁଛି। ଉପକୂଳ ଅଞ୍ଚଳରେ ଚୋରି, ରାହାଜାନି ଓ ଅପହରଣ ମଧ୍ୟ ବଢ଼ିଚାଲିଛି। ତୁରନ୍ତ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
ଏନେଇ ରାଜନଗର ଡିଏଫ୍ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ପଚାରିବାରେ ସେ କହିଛନ୍ତି, ୨୦୨୦ରେ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶରେ କେତେକ ସ୍ଥାନରେ ଜଙ୍ଗଲ ଜମି ଜବରଦଖଲକୁ ଉଚ୍ଛେଦକରି ନେଇ ପ୍ଲାଣ୍ଟେଶନ କରିଛୁ। ଅନ୍ୟ ଜମି ଉପରେ ଲୋକେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାରୁ ସ୍ଥଗିତାଦେଶ ଜାରି ହୋଇଛି। ନିର୍ଦ୍ଦେଶ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ବାଂଲାଦେଶୀଙ୍କ ଅନୁପ୍ରବେଶ ବାବଦରେ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ସରକାରୀ ଭାବେ କେନ୍ଦ୍ରାପଡ଼ା ଜିଲାରେ ୧,୬୪୯ ଜଣ ଅନୁପ୍ରବେଶକାରୀ ଚିହ୍ନଟ ହୋଇଥିବାବେଳେ କେତେଜଣ ପଳାଇ ଗଲେଣି। ଅନୁପ୍ରବେଶକାରୀମାନେ କିପରି ଆମ ଅଞ୍ଚଳରେ ପ୍ରବେଶ ନ କରିବେ ସେଥିନେଇ ପ୍ରଶାସନ ସଜାଗ ଅଛି। କେତେ ଜଙ୍ଗଲ ଜମି ସେମାନେ ଦଖଲରେ ଅଛନ୍ତି ସେନେଇ ରାଜନଗର ଓ ମହାକାଳପଡ଼ା ତହସିଲଦାରଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।