ନିର୍ବାହୀ ଯନ୍ତ୍ରୀଙ୍କ ଘରୁ ୩୦ ଭରି ଗହଣା ଲୁଟ୍‌

ବ୍ରହ୍ମପୁର,୨୨ା୯(ସୁବାସ ଚନ୍ଦ୍ର ପାଢ଼ୀ)-ସହର ଓ ସହରତଳି ଅଞ୍ଚଳରେ ଲୁଟିଆଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ସେମାନେ ପୋଲିସ ପାଟ୍ରୋଲିଂକୁ ଚାଲେଞ୍ଜ କରି ତାଲାବନ୍ଦ ଘରକୁ ଟାର୍ଗେଟ କରୁଛନ୍ତି। ଏହିକ୍ରମରେ ଜଣେ ଜନସ୍ବାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀ କାଳି ଚରଣ ପଣ୍ଡାଙ୍କ ଘରେ ଲୁଟିଆ ଗ୍ୟାଙ୍ଗ କଳାକନା ବୁଲାଇଛନ୍ତି। ସେ ଏ ନେଇ ନିମଖଣ୍ଡି ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ କରୁଛି। ସୂଚନା ଅନୁଯାୟୀ, ଲୋଚାପଡା ନିକଟସ୍ଥ ବିଜୟ ବିହାରରେ ନିର୍ବାହୀ ଯନ୍ତ୍ରୀ କାଳି ଚରଣ ପଣ୍ଡା ରୁହନ୍ତି। ସେ ଗତ କିଛିଦିନ ତଳେ ଘରେ ତାଲା ପକାଇ କୌଣସି କାମରେ ବାହାରକୁ ଯାଇଥିଲେ। ଶୁକ୍ରବାର ଫେରିବାରେ ଘର ଗ୍ରୀଲ ତାଲା ଭଙ୍ଗା ଯାଇଥିବା ଦେଖିଥିଲେ। ଘରେ ଥିବା ଆଲମିରାରୁ ୩୦ ଭରିର ସୁନାଗହଣା, ମୂଲ୍ୟବାନ ସାମଗ୍ରୀ ଓ ଟଙ୍କା ଲୁଟ ହୋଇଥିବା ଜାଣିବା ପରେ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛି। ଆଗକୁ ପାର୍ବଣ। ବିଭିନ୍ନ ମାମଲାରେ ଗିରଫ ହୋଇ ଜେଲ ଯାଇଥିବା ଅନେକ ଅପରାଧୀ ଏବେ ଜାମିନରେ ମୁକୁଳିଛନ୍ତି। ତେଣୁ ଏବେଠୁ ପୋଲିସ ଲୁଟିଆ ଗ୍ୟାଙ୍ଗ ଓ ଅପରାଧୀ ଗୋଷ୍ଠୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି।

Share