୫ ଜିଲାର ୧୩୪୦ ପଞ୍ଚାୟତରେ ଗଡ଼ିଲା ୩୦୧ ‘ଲକ୍ଷ୍ମୀ’ ବସ୍‌, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨ା୨(ଅସମାପିକା ସାହୁ): ସୋମବାର ୫ ଜିଲାରେ ସରକାର ଲକ୍ଷ୍ମୀ ବସ୍‌ ସେବା ଯୋଜନାର ଶୁଭାରମ୍ଭ ହୋଇଛି। ଆଜି ବଲାଙ୍ଗୀର, ବରଗଡ଼, ଭଦ୍ରକ, ମୟୂରଭଞ୍ଜ ଏବଂ ସୁନ୍ଦରଗଡ଼ ଜିଲାରେ ‘ଲକ୍ଷ୍ମୀ’ ବସ୍‌ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୫ଟି ଜିଲାର ୧୩୪୦ଟି ପଞ୍ଚାୟତରେ ଆଜି ମୋଟ୍‌ ୩୦୧ଟି ଲକ୍ଷ୍ମୀ ବସ୍‌ ଗଡ଼ିଛି। ଏଥିଯୋଗୁ ୮୩ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ। ବଲାଙ୍ଗୀରର ୩୧୩ଟି ପଞ୍ଚାୟତରେ ୪୪ଟି ବସ୍‌ ଗଡ଼ିଥିବା ବେଳେ ୧୬.୫୦ ଲକ୍ଷ ଲୋକ ଉପକୃତ ହେବେ। ସେହିପରି ବରଗଡ଼ର ୨୪୩ଟି ପଞ୍ଚାୟତରେ ୬୦ଟି ବସ୍‌ ଚାଲିଛି। ଏହାଦ୍ୱାରା ୧୪ ଲକ୍ଷ ୨୨ ହଜାର ଲୋକ ଉପକୃତ ହେବେ। ଭଦ୍ରକର ୧୫୮ଟି ପଞ୍ଚାୟତରେ ୨୫ଟି ବସ୍‌ର ଶୁଭାରମ୍ଭ ହୋଇଛି। ଏଥିରେ ୧୦ ଲକ୍ଷ ୮୦ ହଜାର ଲୋକ ଉପକୃତ ହେବେ। ମୟୂରଭଞ୍ଜର ୩୮୬ଟି ପଞ୍ଚାୟତରେ ୧୦୭ଟି ବସ୍‌ ଶୁଭାରମ୍ଭ ହୋଇଛି। ଏହି ବସ୍‌ ଚାଲିବା ଦ୍ୱାରା ମୋଟ୍‌ ୨୪ ଲକ୍ଷ ୨୦ ହଜାର ଲୋକ ଉପକୃତ ହେବାକୁ ଥିବା ବେଳେ ସୁନ୍ଦରଗଡ଼ର ୨୪୦ଟି ପଞ୍ଚାୟତରେ ୬୫ଟି ବସ୍‌ ସେବା ଆରମ୍ଭ ହୋଇଛି। ଫଳରେ ୧୭ ଲକ୍ଷ ୨୦ ହଜାର ଲୋକ ଉପକୃତ ହେବେ।