Categories: ଜାତୀୟ

୨୦୨୦ରେ ଦୈନିକ ୩୧ ପିଲାଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ, ୧।୧୧(ପି.ଟି.): ଭାରତରେ ୨୦୨୦ରେ ଦୈନିକ ହାରାହାରି ୩୧ ଜଣ ପିଲା ଆତ୍ମହତ୍ୟା କରିଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି। କୋଭିଡ୍‌ ମହାମାରୀ ଯୋଗୁ ପିଲାମାନଙ୍କ ମନସ୍ତାତ୍ତ୍ୱିକ ଆଘାତ ବୃଦ୍ଧି ପାଇଥାଇପାରେ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ତଥ୍ୟ ଅନୁଯାୟୀ ୨୦୨୦ରେ ୧୧,୩୯୬ ପିଲା ଆତ୍ମହତ୍ୟା କରିଛନ୍ତି। ସେମାନଙ୍କ ମଧ୍ୟରେ ୫,୩୯୨ ଜଣ ବାଳକ ହୋଇଥିବାବେଳେ ୬,୦୦୪ ଜଣ ବାଳିକା। ଏହା ୨୦୧୯ ତୁଳନାରେ ୧୮ ପ୍ରତିଶତ ଏବଂ ୨୦୧୮ ତୁଳନାରେ ୨୧% ଅଧିକ। ୨୦୧୯ରେ ୯,୬୧୩ ଏବଂ ୨୦୧୮ରେ ୯,୪୧୩ ପିଲାଙ୍କର ଆତ୍ମହତ୍ୟା ମୃତ୍ୟୁ ଘଟିଥିଲା। ୧୮ ବର୍ଷରୁ କମ୍‌ ପିଲାଙ୍କ ମଧ୍ୟରୁ ପାରିବାରିକ ସମସ୍ୟାକୁ ନେଇ ୪,୦୦୬ ପିଲା ଆତ୍ମହତ୍ୟା କରିଥିବାବେଳେ ୧,୩୩୭ ଜଣ ପ୍ରେମ ବ୍ୟାପାରକୁ ନେଇ ଏବଂ ୧,୩୨୭ ଜଣ ଅସୁସ୍ଥତାକୁ ନେଇ ଜୀବନ ହାରିଛନ୍ତି। ଅନ୍ୟ ପିଲାମାନେ ନୀତିଗତ କାରଣ, ବେରୋଜଗାର, ଦେବାଳିଆ, ନପୁଂସକତା, ଡ୍ରଗ୍ସ ସେବନ ଆଦି କାରଣରୁ ଚରମ ପଦକ୍ଷେପ ନେଇଥିବା ତଥ୍ୟରୁ ଜଣାପଡ଼ିଛି।
ଶିଶୁ ସୁରକ୍ଷା, ଶିଶୁ ବଞ୍ଚାଅ ସଂସ୍ଥାର ଉପନିର୍ଦ୍ଦେଶକ ପ୍ରଭାତ କୁମାରଙ୍କ ମତରେ କୋଭିଡ-୧୯ର ପ୍ରଭାବ, ଶିକ୍ଷାନୁଷ୍ଠାନ ବନ୍ଦ ରହିବା ଯୋଗୁ ପିଲାମାନେ ନିଜକୁ ଏକୁଟିଆ ଅନୁଭବ କରିବା, ଅବସାଦ ଆଦି ଆତ୍ମହତ୍ୟା ପ୍ରବଣତା ବଢ଼ାଇଥିଲା। ମାନବ ସମ୍ବଳର ବିକାଶ ପାଇଁ ଶିକ୍ଷା ଓ ସ୍ବାସ୍ଥ୍ୟ ଅତି ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ମନସ୍ତାତ୍ତ୍ୱିକ-ସାମାସିକ ସମର୍ଥନ ମଧ୍ୟ ଆବଶ୍ୟକ। ଆତ୍ମହତ୍ୟା ପ୍ରବଣତା ବଢ଼ୁଥିବାରୁ ଏହା ବ୍ୟବସ୍ଥାଗତ ବିଫଳତାକୁ ସୂଚାଉଛି ବୋଲି ପ୍ରଭାତ କହିଛନ୍ତି। ଉପଯୁକ୍ତ ବାତାବରଣ ଯୋଗାଇବାରେ ବିଫଳ ହୋଇଥିବାରୁ ଏଥିପାଇଁ ପିଲାଙ୍କ ମାତାପିତା, ପରିବାର, ପଡୋଶୀ ଏବଂ ସରକାର ମିଳିତ ଭାବେ ଦାୟୀ। କୋଭିଡ୍‌ର ପ୍ରଭାବ ପିଲାମାନଙ୍କ ମାନସିକ ସ୍ବାସ୍ଥ୍ୟ, ମନସ୍ବାତ୍ତ୍ୱିକ-ସାମାଜିକ ସୁସ୍ଥତା ଉପରେ ପଡ଼ିବ ବୋଲି ମହାମାରୀ ଆରମ୍ଭରୁ ଆଶଙ୍କା କରାଯାଉଥିଲା ବୋଲି ଅଜ୍ୟ ଜଣେ ଶିଶୁ ବିଶେଷଜ୍ଞ ପ୍ରୀତି ମାହାରା କହିଛନ୍ତି। ଏନ୍‌ସିଆର୍‌ବି ତଥ୍ୟ ଏହାକୁ ପ୍ରମାଣିତ କରିଥିବା ସେ କହିଛନ୍ତି।

Share