୩୧ ୟୁରୋପୀୟ କୂଟନୀତିଜ୍ଞ ରୁଷିଆରୁ ହେବେ ବହିଷ୍କୃତ, ଆମେରିକା ୬୩୫ ରୁଷୀୟ-୩ ଅଧିକାରୀଙ୍କ ବିରୋଧରେ ଲାଗୁ କରିବ ଭିଜା କଟକଣା…

ମସ୍କୋ/କ୍ୱିଭ୍‌, ୨୧।୪ : ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧର ଜାରି ରହିଛି। ରୁଷିଆ ପୂର୍ବ ୟୁକ୍ରେନର ଶିଳ୍ପାଞ୍ଚଳର କୋଇଲା ଖଣି ଏବଂ କାରଖାନାକୁ ଦଖଲ କରିବା ପାଇଁ ଆକ୍ରମଣକୁ ତ୍ୱରାନୱିତ କରିଛି। ଏହା ସହିତ ୟୁକ୍ରେନକୁ ଦୁଇ ଭାଗରେ ବିଭକ୍ତ କରିବାକୁ ଚେଷ୍ଟା କରୁଛି।

ଅପରପକ୍ଷରେ, ରୁଷିଆ ତିନୋଟି ୟୁରୋପୀୟ ଦେଶର ୩୧ କୂଟନୀତିଜ୍ଞଙ୍କୁ ବହିଷ୍କୃତ କରିବାକୁ ଯାଉଛି। ରୁଷିଆ ବିରୋଧରେ ଆମେରିକା ଏବଂ ୟୁରୋପୀୟ ଦେଶମାନଙ୍କ ଦ୍ୱାରା ଲାଗୁ କରାଯାଇଥିବା ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି ରୁଷିଆ ମଧ୍ୟ ନେଦରଲାଣ୍ଡ, ବେଲଜିୟମ ଏବଂ ଅଷ୍ଟ୍ରିଆ ଆଦି ତିନି ୟୁରୋପୀୟ ଦେଶର କୂଟନୀତିଜ୍ଞଙ୍କୁ ବହିଷ୍କାର କରିବାକୁ ଯାଉଛି।

ନେଦରଲାଣ୍ଡର ୧୫ କୂଟନୀତିଜ୍ଞଙ୍କୁ ରୁଷିଆରୁ ବାହାରିବା ପାଇଁ ଦୁଇ ସପ୍ତାହ ଦିଆଯାଇଥିବାବେଳେ ବେଲଜିୟମର ୧୨ ଜଣ କୂଟନୀତିଜ୍ଞ ଏବଂ ଅଷ୍ଟ୍ରିଆର ଚାରିଜଣଙ୍କୁ ରବିବାର ପର୍ଯ୍ୟନ୍ତ ସମୟ ଦିଆଯାଇଛି।

ସେହିଭଳି ଆମେରିକା କହିଛି ଯେ ୬୩୫ ରୁଷୀୟ ନାଗରିକ ଏବଂ ତିନି ରୁଷୀୟ ଅଧିକାରୀଙ୍କ ବିରୋଧରେ ଭିଜା କଟକଣା ଲଗାଯିବ। ଆମେରିକା ଅର୍ଥ ବିଭାଗ ତରଫରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସମସ୍ତ ନାଗରିକ ରୁଷୀୟ ୟୁକ୍ରେନକୁ ଧମକ ଦେବା କାର୍ଯ୍ୟରେ ଲିପ୍ତ ଥିବାବେଳେ ତିନିଜଣ ଅଧିକାରୀ ଡୋନବାସରେ ମାନବିକ ଅଧିକାରର ଉଲ୍ଲଂଘନ କରିଥିବା ଆମେରିକା କହିଛି।

ୟୁକ୍ରେନର ପୂର୍ବ ସହର ଖାର୍କିଭ ଏବଂ କ୍ରାମାଟୋର୍ସ୍କ ଉପରେ ରୁଷିଆ ଯୁଦ୍ଧବିମାନରୁ ଲଗାତାର ବୋମା ମାଡ଼ କରାଯାଉଛି। ରୁଷିଆ ସୈନ୍ୟଙ୍କ ଆକ୍ରମଣରେ ସହରଗୁଡ଼ିକ ଅସୁରକ୍ଷିତ ହୋଇପଡିଛି। ଏଭଳି ପରିସ୍ଥିତିରେ ପୂର୍ବ ଦିଗରେ ଚାପ ବଢ଼ାଇବାକୁ ରୁଷିଆ ମାରିଅପୋଲ ଉପରେ ଆକ୍ରମଣକୁ ତୀବ୍ର କରିଛି। ଡୋନାବାସର ପଶ୍ଚିମ ଜାପୋରିଜିଆ ଏବଂ ଡନିପ୍ରୋ ଅଞ୍ଚଳରେ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି।

Share