Categories: ବାଣିଜ୍ୟ

୩୧ ଯାଏ ମଧ୍ୟପ୍ରଦେଶ ହସ୍ତତନ୍ତ, ହସ୍ତଶିଳ୍ପ ମହୋତ୍ସବ

ଭୁବନେଶ୍ୱର,୨୯।୧୦: ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ଚନ୍ଦ୍ରଶେଖରପୁର ଡମଣାସ୍ଥିତ କଲ୍ୟାଣ ମଣ୍ଡପରେ ୨୨ ତାରିଖରୁ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ମହୋତ୍ସବ ଚାଲିଛି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏହି ମହୋସତ୍ବ ଚାଲିବାକୁ ଥିବାବେଳେ ଏହା ଗ୍ରାହକ ତଥା ଦର୍ଶକଙ୍କୁ ଆକୃଷ୍ଟ କରୁଛି। କେବଳ ପାରମ୍ପରିକ ହସ୍ତଶିଳ୍ପ ସଂରକ୍ଷଣରେ ସହଯୋଗ ପାଇଁ ନୁହେଁ ବରଂ କଳାକାର ଓ କାରିଗରଙ୍କୁ ନିରନ୍ତର ନିଯୁକ୍ତି ସୁଯୋଗ ଯୋଗାଇବା ପାଇଁ ଏହି ମହୋସତ୍ବର ଆୟୋଜନ କରାଯାଇଛି। ମହୋସତ୍ବରେ ପ୍ରଦର୍ଶନ ଏବଂ ବିକ୍ରୟ ପାଇଁ ବିଶ୍ୱ ପ୍ରସିଦ୍ଧ ଅସଲି ଜରି ଚାନ୍ଦେରୀ ଶାଢ଼ି, ମାହେଶ୍ୱରୀ ଶାଢ଼ି, ପାରମ୍ପରିକ ପ୍ରସିଦ୍ଧ ନନ୍ଦନା ପ୍ରିଣ୍ଟ ଶାଢ଼ି ତଥା ଟସର ଭଳି ଶାଢ଼ି ଉପଲବ୍ଧ ହେଉଛି। ଏହା ବ୍ୟତୀତ ବାଉଁଶରେ ପ୍ରସ୍ତୁତ ସାଜସଜ୍ଜା ସାମଗ୍ରୀ, କାଠ ଖେଳନା, ମଧ୍ୟପ୍ରଦେଶର ଗୋଣ୍ଡ ଚିତ୍ର ଆଦି ମଧ୍ୟ ଏହି ମହୋସତ୍ବରେ ଉପଳବ୍ଧ ହେଉଛି। ବାଟିକ୍‌ ପ୍ରିଣ୍ଟ ବେଡ୍‌ସିଟ୍‌ ଏବଂ ମହିଳାଙ୍କ ପାଇଁ ଟପ୍‌ସ କୁର୍ତ୍ତି, ପାଲାଜୋ, ମାଳିରେ ତିଆରି ଅଳଙ୍କାର ସହ ଅନ୍ୟାନ୍ୟ ମନୋହରି ସାମଗ୍ରୀ ମଧ୍ୟ ମିଳୁଛି। ମଧ୍ୟପ୍ରଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨୫ ଜଣ କାରିଗର ସେମାନଙ୍କର ପାରମ୍ପରିକ କଳାକୃତି ଉତ୍ପାଦ ପ୍ରଦର୍ଶନ ପାଇଁ ଆସିଛନ୍ତି। ଉତ୍ପାଦଗୁଡିକ ଦେଶର ଐତିହ୍ୟକୁ ପ୍ରଦର୍ଶିତ କରିବା ସହ ରାଜ୍ୟର କାରିଗରମାନଙ୍କୁ ବଜାର ଚାହିଦା ଅଧ୍ୟୟନ କରିବାରେ ସାହାଯ୍ୟ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ଗ୍ରାହକଙ୍କ ଚାହିଦା ଅନୁଯାୟୀ ସେମାନଙ୍କ ଉତ୍ପାଦକୁ ପରିବର୍ତ୍ତନ କରିବାରେ ସାହାଯ୍ୟ କରିବ।

Share