ବ୍ରହ୍ମପୁର ଅଫିସ,୨୦ା୨: ବ୍ରହ୍ମପୁର ମଣ୍ଡଳ କାରାଗାରର ଅନେକ ଅନ୍ତେବାସୀ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଛନ୍ତି। ଗତବର୍ଷ ୪୭ ଏବଂ ଚଳିତ ବର୍ଷ ୩୧ ବିଦ୍ୟାର୍ଥୀ ଜାତୀୟ ମୁକ୍ତ ବିଦ୍ୟାଳୟ ଜରିଆରେ ଦଶମ ଓ ଦ୍ୱାଦଶ ପରୀକ୍ଷା ଦେବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି ବୋଲି ଅଧୀକ୍ଷକ ଡି.ଏନ୍. ବାରିକ ସୂଚନା ଦେଇଛନ୍ତି। ଜେଲର ସତ୍ୟ ନାରାୟଣ ବେହେରା ଏଠାକୁ ଆସିବା ପରେ ବନ୍ଦୀମାନଙ୍କ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଇ ସେମାନଙ୍କୁ କିପରି ଠିକ୍ ଭାବେ ପାଠ ପଢ଼ାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯାଇ ପାରିବ, ସେ ନେଇ ଏକ ଖସଡ଼ା ପ୍ରସ୍ତୁତ କରିଥିଲେ। ଚଳିତବର୍ଷ ୩୧ ଅନ୍ତେବାସୀ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ପାଇଁ ଫର୍ମ ପୂରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୫ ଦଶମ ଓ ୨୬ ଜଣ ଦ୍ୱାଦଶ ପରୀକ୍ଷା ଦେବେ ବୋଲି ଜେଲର ବେହେରା ସୂଚନା ଦେଇଛନ୍ତି। ସେହିପରି ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଓଏସ୍ଓୟୁ) ପକ୍ଷରୁ ହେବାକୁ ଥିବା ପରୀକ୍ଷାରେ ୯ଜଣ ଏବଂ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ପକ୍ଷରୁ ହେବାକୁ ଥିବା ବିଭିନ୍ନ ବିଷୟରେ ୭୨ ଅନ୍ତେବାସୀ ପରୀକ୍ଷା ଦେବେ। ଏ ସମ୍ପର୍କରେ ଜେଲରେ ସ୍ବତନ୍ତ୍ର କେନ୍ଦ୍ର କରାଯାଇଛି। ଡିପ୍ଲୋମା ଇନ୍ ଟୁରିଜିମ୍, ଡିପ୍ଲୋମା ଇନ୍ ଫୁଡ୍ ନ୍ୟୁଟ୍ରିସନ, ଡିପ୍ଲୋମା ଇନ୍ ହସ୍ପିଟାଲିଟି ମ୍ୟାନେଜ୍ମେଣ୍ଟ ସମେତ ଅନ୍ୟାନ୍ୟ ପାଠ୍ୟକ୍ରମରେ ଅନ୍ତେବାସୀମାନେ ପରୀକ୍ଷା ଦେବେ ବୋଲି ଜେଲ୍ ପକ୍ଷରୁ ସୂଚନା ମିଳିଛି। ମାର୍ଚ୍ଚରେ ଦଶମ ଓ ଦ୍ୱାଦଶ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ବେଳେ ସେମାନଙ୍କୁ ପାଠ ପଢ଼ିବା ନିମସ୍ତେ ପୁସ୍ତକ ଦିଆଯାଇଛି।