କାଲାଇସ୍,୨୫।୧୧: ଫ୍ରାନ୍ସରୁ ଇଂଲଣ୍ଡ ଯାଉଥିବା ଏକ ଯାତ୍ରୀବାହୀ ଡଙ୍ଗା ଇଂଲିଶ ଚ୍ୟାନେଲରେ ବୁଡିଯାଇଛି। ବୁଧବାର ପ୍ରବାସୀଙ୍କୁ ନେଇ ଯାଉଥିବା ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି। ତେବେ ଫ୍ରାନ୍ସ ଗୃହ ମନ୍ତ୍ରୀ ଗେରାଲ୍ଡ ଡାର୍ମିନିନ ଏହି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହି ଡଙ୍ଗାରେ ମୋଟ ୩୪ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୩୧ଟି ମୃତଦେହ ଉଦ୍ଧାର ହୋଇଛି। ଅନ୍ୟ ଦୁଇ ଜଣ ଜୀବିତ ଥିବା ଜଣାପଡିଛି। ଏଥିସହ ଜଣେ ବ୍ୟକ୍ତି ଏବେ ବି ନିଖୋଜ ଅଛନ୍ତି। ତେବେ ମୃତକମାନେ କେଉଁ ଦେଶର ସେ ନେଇ କିଛି ସୂଚନା ମିଳିନାହିଁ।
ଫ୍ରାନ୍ସ ଏବଂ ବ୍ରିଟେନ୍ର ଉଦ୍ଧାରକାରୀ ଦଳ ମିଳିତ ଭାବେ ନିଖୋଜ ବ୍ୟକ୍ତିଙ୍କ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ଏହି ଘଟଣାରେ ୪ ଜଣ ସନ୍ଦିଗ୍ଧ ମାନବ ଚାଲାଣକାରୀଙ୍କୁ ଗିରଫ କରାଯାଇଛି। ପରେ ୨ ଜଣ ସନ୍ଦିଗ୍ଧଙ୍କୁ କୋର୍ଟରେ ହାଜର କରାଯାଇଥିଲା ବୋଲି ଫ୍ରାନ୍ସର ଗୃହ ମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ, ଦୁର୍ଘଟଣା ପରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏକ ଜରୁରୀ ବୈଠକ ଡାକିଛନ୍ତି। ଏଥିସହିତ ଆହତମାନଙ୍କୁ ଫ୍ରାନ୍ସର ଗୃହ ମନ୍ତ୍ରୀ ହସ୍ପିଟାଲ ଯାଇ ଭେଟିଛନ୍ତି।