ମାଲକାନଗିରି,୯ା୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି-ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲାରେ ରବିବାର ଏନ୍କାଉଣ୍ଟର ହୋଇଛି। ଜିଲାର ଜାତୀୟ ଉଦ୍ୟାନ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହେବାରୁ ପୋଲିସ ଏନକାଉଣ୍ଟରରେ ୩୧ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଏବେ ବି ଜଙ୍ଗଲ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଏନ୍କାଉଣ୍ଟର ନେଇ ସ୍ପଷ୍ଟ କରିଛନ୍ତି ବସ୍ତର ଆଇଜି ପି.ସୁନ୍ଦରରାଜ୍। ଏସ୍ଟିଏଫ୍, ଡିଆର୍ଜି ଯବାନଙ୍କ କୋମ୍ବିଂ ଅପରେଶନ ବେଳେ ପୋଲିସକୁ ଏହି ବଡ଼ ସଫଳତା ମିଳିଥିବା ସେ କହିଛନ୍ତି।
ଗୁଳି ବିନିମୟରେ ୨ ଜଣ ଯବାନ ଶହୀଦ ହୋଇଥିବା ବେଳେ ଦୁଇ ଯବାନ ଗୁରୁତର ହୋଇଛନ୍ତି। ଦୁଇ ଯବାନଙ୍କୁ ତୁରନ୍ତ ମେଡ଼ିକାଲ ନେବା ଲାଗି ଜଗଦଲପୁର ଅଞ୍ଚଳରୁ ଏମ୍ଆଇ ହେଲିକେପ୍ଟରକୁ ପଠାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ସେହିପରି ଜାନୁଆରୀ ୩୧ରେ ସୁରକ୍ଷାକର୍ମୀଙ୍କ ଏକ ମିଳିତ ଦଳ ମାଓବାଦୀ ବିରୋଧୀ ଅଭିଯାନରେ ବାହାରିବା ସମୟରେ ଗୁଳିବିନିମୟ ହୋଇଥିଲା।
ଏହି ଅଞ୍ଚଳରେ ମାଓବାଦୀଙ୍କ ପଶ୍ଚିମ ବସ୍ତର ଡିଭିଜନର କ୍ୟାଡରଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ ଶୁକ୍ରବାର ଆରମ୍ଭ ହୋଇଥିବା ଅପରେଶନରେ ଜିଲା ରିଜର୍ଭ ଗାର୍ଡ ଏବଂ ରାଜ୍ୟ ପୋଲିସର ସ୍ବତନ୍ତ୍ର ଟାସ୍କ ଫୋର୍ସର କର୍ମଚାରୀମାନେ ସାମିଲ ଥିଲେ।
୨୦୨୬ ସୁଦ୍ଧା ନକ୍ସଲବାଦ ମୂଳପୋଛ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତି ଅନୁଯାୟୀ ଏହି ସୁରକ୍ଷା ଅଭିଯାନ ଆରମ୍ଭ ହୋଇଛି। ଜାନୁଆରୀ ୬ରେ ଛତିଶଗଡ଼ର ବିଜାପୁରରେ ମାଓବାଦୀମାନେ ଆଇଇଡି ବ୍ୟବହାର କରି ଗାଡ଼ି ଉଡ଼ାଇ ଦେବା ଫଳରେ ୮ ଜଣ ଜିଲା ରିଜର୍ଭ ଗାର୍ଡ (DRG) ଯବାନ ଏବଂ ଜଣେ ଡ୍ରାଇଭରଙ୍କ ଜୀବନ ଯିବା ପରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏହି କଥାକୁ ପୁନର୍ବାର ଦୋହରାଇଥିଲେ।