କରୋନା ଯୋଗୁ ଦୁଶ୍ଚିନ୍ତାରେ ୩୧% କିଶୋର

ନୂଆଦିଲ୍ଲୀ, ୨୫ା୧୦: ମହାମାରୀ କରୋନା ବିଶ୍ୱରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିବାବେଳେ ଭାରତରେ ମଧ୍ୟ ଏହାର ଭୟଙ୍କର ପ୍ରଭାବ ପରିଲକ୍ଷିତ ହୋଇଛି। ଗତ କିଛିମାସ ଧରି ଦେଶରେ ୩୧% କିଶୋର ଦୁଶ୍ଚିନ୍ତାରେ ରହିଥିବା ଏକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି। କରୋନାର ଭୟଙ୍କର ପ୍ରଭାବ, ସଂକ୍ରମଣରୁ ମୃତ୍ୟୁ, ପରିବାରର ଆର୍ଥିକ ସ୍ଥିତିକୁ ନେଇ ସେମାନେ ଦୁଶ୍ଚିନ୍ତାରେ ଥିବା ଜଣାପଡ଼ିଛି। ଝାଡ଼ଖଣ୍ଡ, ଛତିଶଗଡ଼, ବିହାର, ଓଡ଼ିଶାରେ ୭,୩୦୦ କିଶୋରଙ୍କୁ ନେଇ ଏକ ଏନ୍‌ଜିଓ ଦ୍ୱାରା କରାଯାଇଥିବା ଏକ ସର୍ବେକ୍ଷଣରୁ ଏଭଳି ତଥ୍ୟ ପଦାକୁ ଆସିଛି। ଏପ୍ରିଲରୁ ଦୁଇମାସ ଧରି କରୋନାକୁ ନେଇ କିଶୋରଙ୍କ ସ୍ଥିତି ଓ ମାନସିକତା ସମ୍ପର୍କରେ ପ୍ରଶ୍ନ ପଚରା ଯାଇଥିଲା। ୩୧% କିଶୋର ଭୟଙ୍କର ଦୁଶ୍ଚିନ୍ତାରେ ରହିଥିବା ପ୍ରକାଶ କରିଥିଲେ। ମାତ୍ର ୧୨% କିଶୋରି ଓ ୩୫% କିଶୋର ନିଜ ମୋବାଇଲ ଦ୍ୱାରା ଅନ୍‌ଲାଇନ୍‌ କ୍ଲାସ କରିବାରେ ସଫଳ ହୋଇଥିବା ଜଣାପଡ଼ିଛି। ୫୧% କିଶୋର ଉପଯୁକ୍ତ ବହି ପାଇବାରେ ବିଫଳ ହୋଇଥିବା ସର୍ଭେରେ ଜଣାପଡ଼ିଛି। ୩୯% କିଶୋରୀ ସେମାନଙ୍କ ଘରକାର୍ଯ୍ୟ କରିବାରେ ସମୟ ବିତାଇଛନ୍ତି। କିଶୋର କିଶୋରୀମାନେ କରୋନା ସମୟରେ ନାନା ଅସୁବିଧାର ସମ୍ମୁଖୀନ ହୋଇ ଦୁଶ୍ଚିନ୍ତାରେ ରହିଥିବା ସର୍ଭେ ରିପୋର୍ଟରେ ଦର୍ଶାଯାଇଛି।

Share