କେନ୍ଦୁଝର,୨୩ା୬(ଦୀପକ ମିଶ୍ର): କେନ୍ଦୁଝର ଜିଲାରେ ବିଭିନ୍ନ କାରଣରୁ ଜଙ୍ଗଲ ନଷ୍ଟ ଯୋଗୁ ବନ୍ୟପ୍ରାଣୀ ଜନବସତି ମୁହାଁ ହେଉଛନ୍ତି। ଅଧିକାଂଶ ସମୟରେ ଲୋକଙ୍କ ମୁହାଁମୁହିଁ ପରିସ୍ଥିତି ଉପୁଜୁଛି। ବନ୍ୟପ୍ରାଣୀଙ୍କ ଆକ୍ରମଣରେ ଅନେକ ଜୀବନ ଯାଉଥିବା ବେଳେ ଧନ ସମ୍ପତ୍ତି କ୍ଷତି ହେଉଛି। ବନ୍ୟପ୍ରାଣୀଙ୍କ ଆକ୍ରମଣରେ ଗତ ୩ ବର୍ଷ ମଧ୍ୟରେ ୩୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହାତୀ ଉପଦ୍ରବରେ ପ୍ରାୟ ୯ହଜାରରୁ ଊର୍ଦ୍ଧ୍ୱ ଏକର ଜମିର ଫସଲ ନଷ୍ଟ ହୋଇଛି।
ବନ ବିଭାଗ ସୂଚନା ଅନୁଯାୟୀ, ୨୦୨୦-୨୧ରେ ଜିଲାରେ ବନ୍ୟପ୍ରାଣୀଙ୍କ ଆକ୍ରମଣରେ ୬ ଜଣଙ୍କ ଜୀବନ ଯାଇଛି। ୨୦୨୧-୨୨ରେ ୧୩, ୨୦୨୨-୨୩ରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ତିନିବର୍ଷରେ ୧୪୪ ଗୁରୁତର ହୋଇଛନ୍ତି। ୨୦୨୦-୨୧ ବର୍ଷରେ ହାତୀ ଉପଦ୍ରବରେ ମୋଟ ୭୯୮ ଏକର ଜମିର ଫସଲ ନଷ୍ଟ ହୋଇଥିବା ବେଳେ ୨୦୨୧-୨୨ ବର୍ଷରେ ୮୦୪୮, ୨୦୨୨-୨୩ରେ ୮୪୭ ଏକର ଜମିରେ ଫସଲ ନଷ୍ଟ ହୋଇଛି। ଲୋକଙ୍କ ଶସ୍ୟ ହାତୀ ଦାଉରୁ ରକ୍ଷା କରିବା ପାଇଁ ବନବିଭାଗ ପକ୍ଷରୁ ହାତୀ ପ୍ରବଣ ଅଞ୍ଚଳର ବିଭିନ୍ନ ଗ୍ରାମରେ କଣ୍ଟେନର ବ୍ୟବସ୍ଥା କରାଯାଇଛି। ଦୁଇବର୍ଷ ମଧ୍ୟରେ ପ୍ରାୟ ୪୫୦ଟି କଣ୍ଟେନର ଯୋଗାଇ ଦିଆଯାଇ ଶସ୍ୟର ସୁରକ୍ଷା ପାଇଁ ତା’ର ଚାରି ପାଖରେ ଟ୍ରେଞ୍ଜ୍ ଖୋଳାଯାଇଛି। ଗାଁଗୁଡ଼ିକରେ ଏହି କଣ୍ଟେନରରେ ଲୋକମାନେ ଧାନ, ଚାଉଳ, ମୁଗ, ବିରି, କୋଳଥ, ଗହମ ସୁରକ୍ଷିତ ରଖିପାରିବେ ବୋଲି ଡିଏଫ୍ଓ ଧନ୍ରାଜ ଏଚ୍ଡି ପ୍ରକାଶ କରିଛନ୍ତି।