Categories: ଜାତୀୟ

୩୧ ପ୍ରତିଶତ ରାଜ୍ୟ ସଭା ଏମ୍‌ପିଙ୍କ ବିରୋଧରେ ଆପରାଧିକ ମାମଲା, ୮୭ ପ୍ରତିଶତ କୋଟିପତି…

ନୂଆଦିଲ୍ଲୀ, ୨୮।୬ : ଦେଶର ୩୧ ପ୍ରତିଶତ ରାଜ୍ୟ ସଭା ଏମ୍‌ପିଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ସେହିପରି ୮୭ ପ୍ରତିଶତ ହେଉଛନ୍ତି କୋଟିପତି। ଏଡିଆର୍‌ ନ୍ୟାଶନାଲ ଇଲେକ୍ସନ ୱାଚ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଏହା ଉଲ୍ଲେଖ। ରାଜ୍ୟ ସଭାର ସଦସ୍ୟମାନଙ୍କର ହାରାହାରି ସମ୍ପତ୍ତି ହେଉଛି ୭୯.୫୪ କୋଟି ଟଙ୍କା। ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ଏବଂ ନ୍ୟାଶନାଲ ଇଲେକ୍ସନ ୱାଚ ଅନୁସାରେ ୨୩୩ ଜଣ ରାଜ୍ୟ ସଭା ଏମ୍‌ପିଙ୍କ ମଧ୍ୟରୁ ୨୨୬ ଜଣ ସେମାନଙ୍କ ଅପରାଧିକ, ଆର୍ଥିକ ଏବଂ ଅନ୍ୟାନ୍ୟ ପୃଷ୍ଠଭୂମି ବିବରଣୀ ବିଶ୍ଳେଷଣ କରାଯାଇଛି।

ବର୍ତ୍ତମାନର ରାଜ୍ୟସଭାରେ ଗୋଟିଏ ସିଟ ଖାଲି ଅଛି। ରିପୋର୍ଟରେ କୁହାଯାଇଛି ଯେ ଦୁଇ ଜଣ ଏମ୍‌ପିଙ୍କ ବିଶ୍ଳେଷଣ କରାଯାଇ ନାହିଁ କାରଣ ସେମାନଙ୍କର ଆଫିଡେଭିଟ ଉପଲବ୍ଧ ନ ଥିଲା ଏବଂ ଜମ୍ମୁ -କଶ୍ମୀରରେ ଚାରୋଟି ସିଟ ଅପରିଭାଷିତ ରହିଛି। ରିପୋର୍ଟରେ କୁହାଯାଇଛି ଯେ ୨୨୬ ଜଣ ସିଟିଂ ରାଜ୍ୟ ସଭା ଏମ୍‌ପିଙ୍କ ମଧ୍ୟରୁ ୧୯୭ଜଣ (୮୭ ପ୍ରତିଶତ) କୋଟିପତି ।

ରିପୋର୍ଟରେ କୁହାଯାଇଛି ଯେ ୨୨୬ ରାଜ୍ୟ ସଭା ସଦସ୍ୟଙ୍କ ମଧ୍ୟରୁ ୭୧ ଜଣ (୩୧ପ୍ରତିଶତ) ନିଜ ବିରୋଧରେ ଆପରାଧିକ ମାମଲା ଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ୩୭ ଜଣ (୧୬ ପ୍ରତିଶତ)ଙ୍କ ବିରୋଧରେ ଗୁରୁତର ଆପରାଧିକ ମାମଲା ରୁଜୁ ହୋଇଛି । ରିପୋର୍ଟ ଅନୁଯାୟୀ, ରାଜ୍ୟ ସଭାର ୨ ଏମ୍‌ପିଙ୍କ ବିରୋଧରେ ହତ୍ୟା ମାମଲା (ଆଇପିସି ଧାରା ୩୦୨) ଏବଂ ଚାରିଜଣଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା (ଆଇପିସି ଧାରା ୩୦୭) ରହିଛି । ଚାରିଜଣଙ୍କ ବିରୋଧରେ ମହିଳାଙ୍କ ସହ ଜଡିତ ମାମଲା ରହିଛି। ଏହି ଚାରିଜଣ ସଦସ୍ୟଙ୍କ ମଧ୍ୟରୁ ରାଜସ୍ଥାନର କେସି ଭେନୁଗୋପାଲ (କଂଗ୍ରେସ)ଙ୍କ ବିରୋଧରେ ବଳାତ୍କାର ମାମଲା (ଆଇପିସି ଧାରା ୩୭୬) ରହିଛି।

ରିପୋର୍ଟ ଅନୁଯାୟୀ, ଭାଜପାର ୮୫ ରାଜ୍ୟ ସଭା ସଦସ୍ୟଙ୍କ ମଧ୍ୟର୨୦ଜଣ (୨୪ ପ୍ରତିଶତ), କଂଗ୍ରେସର ୩୧ ମଧ୍ୟରୁ ୧୨ଜଣ (୩୯ ପ୍ରତିଶତ), ଏଆଇଟିସିର ୧୩ ମଧ୍ୟରୁ ୩ (୨୩ ପ୍ରତିଶତ) , ଆର୍‌ଜେଡିର ଛଅ ଜଣଙ୍କ ମଧ୍ୟରୁ ୫ ଜଣ (୮୦ ପ୍ରତିଶତ), ସିପିଆଇ(ଏମ)ର ପାଞ୍ଚରୁ ୪ ଜଣ (୮୦ ପ୍ରତିଶତ), ଏଏପି ର ୧୦ ମଧ୍ୟରୁ ୩ ଜଣ (୩୦ ପ୍ରତିଶତ) , ଓ୍ବାଇଏସଆରସିପିର ନଅ ମଧ୍ୟରୁ ୩ (୩୩ ପ୍ରତିଶତ) ଏବଂ ଏନସିପିର ଚାରିଜଣଙ୍କ ମଧ୍ୟରୁ ଦୁଇଜଣ (୫୦ ପ୍ରତିଶତ) ସଦସ୍ୟ ସେମାନଙ୍କ ସତ୍ୟପାଠ ଦାଖଲ କରି ତାଙ୍କ ବିରୋଧରେ ଆପରାଧିକ ମାମଲା ଥିବା ସୂଚିତ କରିଛନ୍ତି।

ରାଜ୍ୟ ଭିତ୍ତିକ ବିବରଣୀ ପ୍ରଦାନ କରି ରିପୋର୍ଟରେ କୁହାଯାଇଛି ଯେ ଉତ୍ତରପ୍ରଦେଶର ୩୧ ରାଜ୍ୟ ସଭା ସଦସ୍ୟଙ୍କ ମଧ୍ୟରୁ ସାତଜଣ (୨୩ ପ୍ରତିଶତ), ମହାରାଷ୍ଟ୍ରର ୧୯ ଜଣଙ୍କ ମଧ୍ୟରୁ ୧୨ (୬୩ ପ୍ରତିଶତ), ତାମିଲନାଡୁର ୧୮ରୁ ୬ ଜଣ (୩୩ ପ୍ରତିଶତ)। ପଶ୍ଚିମବଙ୍ଗର ୧୬ ମଧ୍ୟରୁ ୩ ଜଣ (୧୯ ପ୍ରତିଶତ), କେରଳର ନଅ ଜଣଙ୍କ ମଧ୍ୟରୁ ୬ ଜଣ (୬୭ ପ୍ରତିଶତ) ଏବଂ ବିହାରର ୧୬ ଟି ରାଜ୍ୟ ସଭା ସଦସ୍ୟଙ୍କ ମଧ୍ୟରୁ ୧୦ ଜଣ (୬୩ ପ୍ରତିଶତ) ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।

Share