Categories: ଜାତୀୟ

୩୧୧ ଆପ୍‌, ୯୫ ମେଶିନ ବ୍ୟବହୃତ

ନୂଆଦିଲ୍ଲୀ,୪ା୯: ଦିଲ୍ଲୀରେ ସେପ୍ଟେମ୍ବର ୯ ଓ ୧୦ରେ ହେବାକୁ ଥିବା ଜି୨୦ ସମ୍ମିଳନୀ ପାଇଁ ଜାତୀୟ ରାଜଧାନୀକୁ ଆକର୍ଷଣୀୟ କରାଯାଇଛି। ବିଦେଶୀ ଅତିଥିଙ୍କୁ ସ୍ବାଗତ କରିବାକୁ ଯାଉଥିବା ଦିଲ୍ଲୀର ସଫେଇ ପାଇଁ ୩୧୧ ଆପ୍‌, ୧୨,୦୦୦ କର୍ମୀ ଓ ୯୫ଟି ମେଶିନକୁ ବ୍ୟବହାର କରାଯାଇଛି। ଦିଲ୍ଲୀ ମହାନଗର ନିଗମ (ଏମ୍‌ସିଡି) ମେୟର ଶେଲି ଓବରୟ ରବିବାର ଏହି ସୂଚନା ଦେଇଛନ୍ତି। ଶେଲି କହିଛନ୍ତି, ଦିଲ୍ଲୀକୁ କେବଳ ସ୍ବଚ୍ଛ ଓ ସବୁଜ କରିବା ପାଇଁ ୨ ମାସ ସମୟ ଲାଗିଛି। ଜି୨୦ ସମ୍ମିଳନୀ ପାଇଁ ଦିଲ୍ଲୀକୁ ପ୍ରସ୍ତୁତ କରିବା ସକାଶେ ଆମେ ୧୨ ହଜାର କର୍ମୀଙ୍କୁ ସ୍ବତନ୍ତ୍ର ଡ୍ୟୁଟିରେ ନିୟୋଜିତ କରିଛୁ। ସେମାନଙ୍କ ମଧ୍ୟରୁ ସେଣ୍ଟ୍ରାଲ ଜୋନ୍‌ରେ ୧୫୦୦, ସାଉଥ୍‌ ଜୋନ୍‌ରେ ୧୦୦୦, ଜନଫଗଡ଼ ଜୋନ୍‌ରେ ୧୫୦୦, ପ୍ରଗତି ମଇଦାନରେ ୨୫୦ ଜଣଙ୍କୁ ନିୟୋଜିତ କରାଯାଇଛି। ୫୫ ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀ ବ୍ୟବସ୍ଥାର ତଦାରଖ କରୁଛନ୍ତି।

ଏମ୍‌ସିଡିର ୫୨ ମେକାନିକାଲ ରୋଡ୍‌ ସୁଇପିଂ ମେଶିନ ଜରିଆରେ ଦିଲ୍ଲୀର ରାସ୍ତାଘାଟ ସଫେଇ ଚାଲିଛି। ୨୫୦ରୁ ଅଧିକ କର୍ମଚାରୀଙ୍କୁ ରାଜଘାଟ ମାର୍ଗ, ଜବାହରଲାଲ ମାର୍ଗ, ଜୁ ଏରିଆ, ଭୈରବ ମାର୍ଗ, ବିକାଶ ମାର୍ଗ ଓ ତିଳକ ମାର୍ଗରେ ସଫେଇ କାର୍ଯ୍ୟରେ ନିୟୋଜିତ କରାଯାଇଛି। ମେୟର ଆହୁରି କହିଛନ୍ତି, କୁତବମିନାର, ଦିଲ୍ଲୀ ସିକ୍ସ ଓ ଲାଲ୍‌କିଲ୍ଲା ସମେତ ଐତିହାସିକସ୍ଥଳଗୁଡ଼ିକର ସ୍ବଚ୍ଛତା ଉପରେ ଅଧିକ ଧ୍ୟାନ ଦିଆଯାଇଛି। ସେହିପରି ଏମ୍‌ସିଡିର ୩୧୧ଟି ଆପ୍‌ ଜରିଆରେ ସହରର ୧୨,୦୦୦ରୁ ଅଧିକ ଆବର୍ଜନାସ୍ଥଳ ସଫେଇ ପାଇଁ ଚିହ୍ନଟ କରାଯାଇଥିବା ଡେପୁଟି ମେୟର ଆଲେ ମହମ୍ମଦ ଇକ୍‌ବାଲ ସୂଚନା ଦେଇଛନ୍ତି।

Share