Categories: ଜାତୀୟ

ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ସୋନିଆ-ପ୍ରିୟଙ୍କା

ନୂଆଦିଲ୍ଲୀ,୨୧।୫: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୩୧ତମ ପୁଣ୍ୟତିଥିରେ ଶନିବାର ଦେଶ ତାଙ୍କୁ ମନେପକାଇ ସ୍କୁତିଚାରଣ କରିଛି। ୧୯୯୧ରେ ଏହି ଦିନ ରାଜୀବ ଗାନ୍ଧୀଙ୍କୁ ଆତ୍ମଘାତୀ ବିସ୍ଫୋରଣରେ ହତ୍ୟା କରାଯାଇଥିଲା। ଏହି ଅବସରରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦିଲ୍ଲୀର ବୀର ଭୂମିରେ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଅନ୍ୟପଟେ ରାହୁଲ ଗାନ୍ଧୀ ମଧ୍ୟ ଏକ ଭିଡିଓ ଟୁଇଟ କରି ପିତା ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଭିଡିଓ ଶେୟାର କରି ରାହୁଲ ଲେଖିଛନ୍ତି, ମୋ ବାପା ଜଣେ ଦୂରଦୃଷ୍ଟି ସମ୍ପନ୍ନ ନେତା ଥିଲେ, ଯାହାର ନୀତି ଆଧୁନିକ ଭାରତ ଗଠନ କରିବାରେ ସାହାଯ୍ୟ କରିଥିଲା। ସେ ଜଣେ ଦୟାଳୁ ଏବଂ କରୁଣାମୟ ବ୍ୟକ୍ତି। ମୋର ଓ ପ୍ରିୟଙ୍କାଙ୍କ ପାଇଁ ସେ ଜଣେ ଅଦ୍ଭୁତ ପିତା, ଯିଏ ଆମକୁ କ୍ଷମା ଏବଂ ସହାନୁଭୂତିର ମୂଲ୍ୟ ଶିଖାଇଥିଲେ। ବାପାଙ୍କ କଥା ବହୁତ ମନେପଡେ, ଆମେ ଦୁହେଁ ଏକାଠି ବିତାଇଥିବା ସମୟକୁ ମନେପକାନ୍ତି ବୋଲି ରାହୁଲ କହିଛନ୍ତି। ଏତଦ୍‌ ବ୍ୟତୀତ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟୁଇଟ କରି ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେହିପରି କଂଗ୍ରେସ ନେତା ପି.ଚିଦାମ୍ବରମ ଓ ସଚିନ ପାଇଲଟ ମଧ୍ୟ ଦିଲ୍ଲୀ ବୀର ଭୂମିରେ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

Share