Categories: ଜାତୀୟ

୩୨ ବର୍ଷ ତଳେ ଅନ୍ନଦାତାଙ୍କ ଆଗରେ ମୁଣ୍ଡ ନୁଆଇଁଥିଲେ ସରକାର: ଏବେ ହେବ କି ଏହାର ପୁନରାବୃତ୍ତି !

ନୂଆଦିଲ୍ଲୀ,୩୦।୧୧: କୃଷି ଆଇନକୁ ନେଇ ଦେଶବ୍ୟାପୀ ଅନ୍ନଦାତାଙ୍କ ପ୍ରଦର୍ଶନ ଜାରି ରହିଛି। ଇତିମଧ୍ୟରେ ପ୍ରଦର୍ଶନକୁ ୫ ଦିନ ବିତିଛି। ଏହା ୩୨ ବର୍ଷ ତଳେ ୧୯୮୮ ଅକ୍ଟୋବର ୨୫ରେ ହୋଇଥିବା ଚାଷୀ ଆନ୍ଦୋଳନକୁ ମନେ ପକାଇ ଦେଇଛି। ୧୪ ରାଜ୍ୟର ୫ ଲକ୍ଷରୁ ଅଧିକ ଚାଷୀ ମହେନ୍ଦ୍ର ସିଂ ଟିକାୟତଙ୍କ ନେତୃତ୍ୱରେ ଦିଲ୍ଲୀ ମୁହାଁ ହୋଇଥିଲେ। ବିଦ୍ୟୁତ୍‌ ଏବଂ ଜଳସେଚନ ପାଇଁ ଧାର୍ଯ୍ୟ କରାଯାଇଥିବା ସରକାରୀ ଦାମ୍‌ର ବିରୋଧରେ ଚାଷୀମାନେ ସେତେବେଳେ ଆନ୍ଦୋଳନ କରି ତତ୍‌କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସମସ୍ୟା ସୃଷ୍ଟି କରିଥିଲେ। ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଭଳି ସେତେବେଳେ ମଧ୍ୟ ଚାଷୀଙ୍କୁ ରୋକିବା ପାଇଁ ପୋଲିସଙ୍କୁ ମୁତୟନ କରାଯାଇଥିଲା। ଲୋନିଠାରେ ପୋଲିସ ଫାଇରିଙ୍ଗ୍‌ରେ ରାଜେନ୍ଦ୍ର ସିଂ ଏବଂ ଭୂପ ସିଂ ନାମକ ଚାଷୀଙ୍କର ମୃତ୍ୟୁ ଘଟିଥିଲା। ଶେଷରେ ଚାଷୀ ସଂଗଠନ ଦିଲ୍ଲୀର ବୋଟ କ୍ଲବ୍‌ରେ ପହଞ୍ଚି ୭ ଦିନ ଧରି ଧାରଣା ଦେଇଥିଲେ। ଅକ୍ଟୋବର ୩୦ରେ ରାତିରେ ଚାଷୀଙ୍କ ଉପରେ ଲାଠି ଚାର୍ଜ କରାଯାଇଥିଲା। କିନ୍ତୁ ଟିକାୟତ ହାରି ନ ଥିଲେ। ଚାଷୀଙ୍କ ପ୍ରଦର୍ଶନ ଯୋଗୁ କଂଗ୍ରେସକୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୂଣ୍ୟତିଥି ଉତ୍ସବ ଲାଗି ଆୟୋଜିତ ହେବାକୁ ଥିବା ରାଲିକୁ ଲାଲ୍‌ କିଲ୍ଲା ପଛରେ ଥିବା ପଡ଼ିଆକୁ ସ୍ଥାନାନ୍ତର କରାଯାଇଥିଲା। ରାଜୀବ ଗାନ୍ଧୀଙ୍କ ସରକାର ଅନ୍ନଦାତାଙ୍କ ଆଗରେ ମୁଣ୍ଡ ନୁଆଇଁଥିଲେ। ଅକ୍ଟୋବର ୩୧ରେ ଚାଷୀ ସଂଗଠନ ପକ୍ଷରୁ ଉପସ୍ଥାପନ କରାଯାଇଥିବା ସମସ୍ତ ୩୫ ଦାବିକୁ ସରକାର ମାନି ନେଇଥିଲେ। ଏବେ ଏହାର ପୁନରାବୃତ୍ତି ହେବା ନେଇ ଚର୍ଚ୍ଚା ଜାରି ରହିଛି। ମୋଦି ସରକାର କୃଷି ଆଇନ ଉପରେ ବିଚାର କରନ୍ତୁ ବୋଲି ବିଭିନ୍ନ ରାଜନେତାଙ୍କ ପକ୍ଷରୁ ଦାବି ମଧ୍ୟ ହେବାରେ ଲାଗିଛି।

Share