ମାଧ୍ୟମିକ ସ୍କୁଲରେ ନିଯୁକ୍ତି ପାଇଲେ ୩୨୫ ଶିକ୍ଷକ

ଭୁବନେଶ୍ୱର,୨୭।୭(ଅନିଲ ଦାସ)ରାଜ୍ୟର ବିଭିନ୍ନ ସ୍କୁଲରେ ୩୨୫ ଜଣ ଟ୍ରେଣ୍ଡ ଗ୍ରାଜୁଏଟ ଟିଚର(ଟିଜିଟି) ଯୋଗ ଦେଇଛନ୍ତି। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଲୋକସେବା ଭବନରେ ବୁଧବାର ଅନୁଷ୍ଠିତ ନିଯୁକ୍ତି ପର୍ବରେ ଏହି ଶିକ୍ଷକମାନେ ଯୋଗ ଦେଇଛନ୍ତି। ସେମାନେ ୨୧ଟି ବିଷୟରେ ଶିକ୍ଷାଦାନ କରିବେ। ଡିଗ୍ରୀ କଲେଜରୁ ଯୁକ୍ତ୨କୁ ଅଲଗା କରିବା ପରେ ପ୍ରଥମ ଥର ପାଇଁ ଉଚ୍ଚ ମାଧ୍ୟମିକ ସ୍କୁଲଗୁଡ଼ିକରେ ଉକ୍ତ ଶିକ୍ଷକମାନେ ଯୋଗ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ପିଲାମାନଙ୍କ କ୍ୟାରିୟର ଗଢ଼ିବା ପାଇଁ ଉଚ୍ଚମାଧ୍ୟମିକ ସ୍ତରରେ ପୋଷ୍ଟ ଗ୍ରାଜୁଏଟ ଟିଚରଙ୍କୁ ପ୍ରଥମ ପର୍ଯ୍ୟାୟରେ ନିଯୁକ୍ତି ଦିଆଯାଇଛି। ଏଠାରୁ ଛାତ୍ରୀଛାତ୍ରମାନେ ବିଶ୍ୱସ୍ତରୀୟ ସୁବିଧାସୁଯୋଗ ପାଇବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ପିଲାମାନେ ସେମାନଙ୍କ ନିଜ ଭବିଷ୍ୟତ ସ୍ବପ୍ନକୁ ସାକାର କରିବାକୁ ଚାହିଁଲେ ସେମାନଙ୍କ ସଫଳତା ପଥରେ କୌଣସି ବାଧା ଉପୁଜିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି। ଶିକ୍ଷା ସରକାରଙ୍କ ପାଇଁ ପ୍ରାଥମିକ। ୫-ଟି କାର୍ଯ୍ୟକ୍ରମରେ ରାଜ୍ୟର ୬,୮୦୦ ସ୍କୁଲ ରୂପାନ୍ତରଣ କରାଯାଇଛି। ଏହା ରାଜ୍ୟର ଛାତ୍ରୀଛାତ୍ର, ଅଭିଭାବକ ଏବଂ ଶିକ୍ଷକଙ୍କ ମଧ୍ୟରେ ଏକ ନୂତନ ଉନ୍ମାଦନା ସୃଷ୍ଟି କରିଛି। ଉଚ୍ଚ ମାଧ୍ୟମିକ ଶିକ୍ଷାକୁ ତ୍ୱରାନ୍ବିତ କରିବାକୁ ରାଜ୍ୟର ୧୧୦ ସ୍କୁଲକୁ ଉଚ୍ଚମାଧ୍ୟମିକ ସ୍କୁଲକୁ ଉନ୍ନୀତ କରାଯାଇଛି। ଏଥିପାଇଁ ୯୦୦ରୁ ଅଧିକ ଶିକ୍ଷକ ଓ ଅଣଶିକ୍ଷକ ପଦବୀକୁ ଅନୁମୋଦନ କରାଯାଇଛି। ଶିକ୍ଷକମାନେ ସର୍ବୋତ୍କୃଷ୍ଟ ଦକ୍ଷତା ସହ ନିଜକୁ ଅପ୍‌ଡେଟ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି। ୫-ଟି ବ୍ୟବସ୍ଥା ଶୈଖିକ ଅଭିଜ୍ଞତାକୁ ବୃଦ୍ଧି କରିବାରେ ସହାୟତା କରିବ। ନବନିଯୁକ୍ତ ଶିକ୍ଷକମାନେ ନିଜର ଉଦ୍ୟମ ଦ୍ୱାରା ରାଜ୍ୟକୁ ଭଲ ସେବା ଯୋଗାଇ ପାରିବେ। ଉଚ୍ଚମାଧ୍ୟମିକ ଟପ୍ପରମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଟପ୍ପର ହୋଇଥିବା ଛାତ୍ରୀଛାତ୍ରମାନେ ଆମ ରାଜ୍ୟର ରତ୍ନ। ସେମାନେ ତାଙ୍କ କ୍ୟାରିୟରରେ ଆହୁରି ଆଗକୁ ବଢ଼ିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି। ଆମ ସମାଜକୁ ବଞ୍ଚିବା ପାଇଁ ଏକ ଉତ୍ତମ ସ୍ଥାନ ଦେବାର ପ୍ରୟାସ ଶିକ୍ଷାର ଲକ୍ଷ୍ୟ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ଯେ ବିଭାଗ ଆହୁରି ନୂଆ ଉଚ୍ଚ ମାଧ୍ୟମିକ ସ୍କୁଲ ଖୋଲିବାକୁ ଯୋଜନା ରଖିଛି। ଆହୁରି ଅଧିକ ପଦବୀ ଖୁବ୍‌ଶୀଘ୍ର ପୂରଣ ହେବ। ନିଜର ଲକ୍ଷ୍ୟ ପୂରଣ ପାଇଁ ଆହୁରି କଠିନ ପରିଶ୍ରମ କରିବାକୁ ସେ ଛାତ୍ରୀଛାତ୍ରମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଶିକ୍ଷା କ୍ଷେତ୍ରରେ ହେଉଥିବା ରୂପାନ୍ତରକୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଶିକ୍ଷକମାନେ ଆହୁରି ତ୍ୱରାନ୍ବିତ କରିପାରିବେ ବୋଲି କହିଛନ୍ତି। ବିଭାଗୀୟ ସଚିବ ସ୍ବାଗତ ଭାଷଣ ଦେଇଥିଲେ।

Share