Categories: ଜାତୀୟ

୬ ବର୍ଷରେ ୩୨୬ ରାଜଦ୍ରୋହ ମାମଲା, ୬ ଜଣଙ୍କୁ ଦଣ୍ଡାଦେଶ…

ନୂଆଦିଲ୍ଲୀ,୧୯।୭: ଭାରତୀୟ ଦଣ୍ଡ ସଂହିତା(ଆଇପିସି) ଅନ୍ତର୍ଗତ ଧାରା ‘୧୨୪-ଏ’ ରାଜଦ୍ରୋହ ଉପରେ ପର୍ଯ୍ୟବେସିତ। ଏହି ଧାରରାକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ଟିପ୍ପଣୀ ପରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଧାରାର ଦୂରୁପଯୋଗ ହେଉଥିବା ନେଇ ସର୍ବୋଚ୍ଚ ନ୍ୟାୟାଳୟ ଚିନ୍ତା ବ୍ୟକ୍ତ କରିଛନ୍ତି। ଦେଶର ସ୍ବାଧୀନତା ସଂଗ୍ରାମରେ ମାହାତ୍ମା ଗାନ୍ଧୀଙ୍କ ଭଳି ସ୍ବତନ୍ତ୍ରତା ସଂଗ୍ରାମୀଙ୍କ ଲାଗି ବ୍ରିଟିଶ୍‌ ସରକାର ଏହି ଧାରାର ବ୍ୟବହାର କରାଯାଉଥିଲା। ଏଭଳି ଧାରାର ଉଚ୍ଛେଦ ଦେଶର ଆଇନ ବ୍ୟବସ୍ଥାରୁ କାହିଁକି କରାଯାଉ ନାହିଁ ବୋଲି ସୁପ୍ରିମ୍‌କୋର୍ଟ ପ୍ରଶ୍ନ କରିଛନ୍ତି। ଏହି ଧାରାର ସାମ୍ବିଧାନିକ ବୈଧତାକୁ ନେଇ ଜଣେ ପୂର୍ବର ମେଜର ଜେନେରାଲ ଏବଂ ଏଡିଟର୍ସ ଗିଲ୍ଡ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି ସମୟରେ କୋର୍ଟ ଏଭଳି କହିଥିଲେ। ଏହି ଧାରା ଅନ୍ତର୍ଗତ ୨୦୧୪ରୁ ୨୦୧୯ ଗତ ୬ ବର୍ଷ ମଧ୍ୟରେ ୩୨୬ ମାମଲା ରୁଜୁ କରାଯାଇଛି। ତେବେ ବିଚାର ହେବାପରେ ମାତ୍ର ୬ ଜଣଙ୍କ ପ୍ରତି ଦଣ୍ଡବିଧାନ କରାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅନୁସାରେ ଏହି ସମୟ ମଧ୍ୟରେ ସର୍ବାଧିକ ୫୪ ମାମଲା ଆସାମରେ ରୁଜୁ ହୋଇଛି। ସେହିପରି ଏହି ଧାରା ଅନ୍ତର୍ଗତ ଗତ ୬ ବର୍ଷ ମଧ୍ୟରେ ୧୪୧ ଅଭିଯୋଗ ପତ୍ର ଦାଖଲ କରାଯାଇଥିବା ସ୍ପରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୨୦୧୯ରେ ସର୍ବାଧିକ ୯୩ ମାମଲା ରୁଜୁ ହୋଇଛି। ସେହିପରି ୨୦୧୮ରେ ୭୦, ୨୦୧୭ରେ ୫୧, ୨୦୧୬ରେ ୩୫, ୨୦୧୫ରେ ୩୦ ଏବଂ ୨୦୧୪ରେ ୪୭ଟି ମାମଲା ରୁଜୁ କରାଯାଇଛି। ୨୦୧୯ରେ ୪୦ଟି ଅଭିଯୋଗ ପତ୍ର ଦାଖଲ ହୋଇଥିଲା। ସେହିପରି ୨୦୧୮ରେ ୩୮, ୨୦୧୭ରେ ୨୭, ୨୦୧୬ରେ ୧୬, ୨୦୧୫ରେ ୬ ଏବଂ ୨୦୧୪ରେ ୧୪ଟି ଅଭିଯୋଗ ରାଜଦ୍ରୋହ ମାମଲାରେ ଦାଖଲ କରାଯାଇଥିଲା। ଦଣ୍ଡାଦେଶ କରାଯାଇଥିବା ୬ ଜଣଙ୍କ ମଧ୍ୟରୁ ୨୦୧୮ରେ ୨ ଜଣ ଥିବାବେଳେ ୨୦୧୯, ୨୦୧୭, ୨୦୧୬, ୨୦୧୪ରେ ଜଣେ ଲେଖାଏଁ ଲୋକଙ୍କ ପ୍ରତି ଦଣ୍ଡବିଧାନ କରାଯାଇଛି। ଅପରପକ୍ଷରେ ୨୦୧୫ରେ କୌଣସି ଦଣ୍ଡବିଧାନ କରାଯାଇ ନାହିଁ ବୋଲି ସ୍ପରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share