ଫ୍ରାନ୍ସର ପ୍ରସିଦ୍ଧ ବ୍ୟଙ୍ଗ ପତ୍ରିକା ‘ଶାର୍ଲି ହେବ୍ଡୋ’ ଭାରତରେ କୋଭିଡ୍ ସଙ୍କଟ ବେଳେ ଲାଗିରହିଥିବା ଅମ୍ଳଜାନ ସଙ୍କଟକୁ ନେଇ କଟାକ୍ଷ କରିଛି। ଦେଶରେ ୩୩ କୋଟି ଦେବଦେବୀ ଅଛନ୍ତି। ମାତ୍ର କେହି ଜଣେ ହେଲେ ମେଡିକାଲ ଅକ୍ସିଜେନ ଉତ୍ପାଦନ କରିପାରୁନାହାନ୍ତି। ଅକ୍ସିଜେନ ଅଭାବରୁ ଭାରତୀୟମାନେ ମରୁଥିବା ଦର୍ଶାଯାଇ ଏଥିରେ ତାଚ୍ଛଲ୍ୟ କରାଯାଇଛି। ତେବେ ଏପ୍ରିଲ ୨୮ରେ ପ୍ରକାଶିତ ଏହି କାର୍ଟୁନରେ ୩୩ କୋଟି ପରିବର୍ତ୍ତେ ୩୩ ନିୟୁତ ବା ୩.୩ କୋଟି ଲେଖାଯାଇଛି। ସୋସିଆଲ ମିଡିଆରେ ଏହା ଭାଇରାଲ ହୋଇଛି। ଟୁଇଟରରେ କେତେଜଣ ୟୁଜର୍ସ ଏହାକୁ ଭାରତୀୟ ଦେବଦେବୀଙ୍କ ଅପମାନ କହି ‘ଶାର୍ଲି ହେବ୍ଡୋ’କୁ ବର୍ଜନ ପାଇଁ ଦାବି କରିଥିବାବେଳେ ଆଉ କେତେକେ ଏହାକୁ ଅଭିବ୍ୟକ୍ତି ସ୍ବାଧୀନତା ଦର୍ଶାଇ ସମର୍ଥନ କରିଛନ୍ତି।