ଓଡ଼ିଶାରେ ୩୩% ଲୋକ ମୋଟା

ଭୁବନେଶ୍ୱର,୧୯ା୨(ଅସମାପିକା ସାହୁ): ଆଜିର ସମୟରେ ଆମ ଖାଦ୍ୟଶୈଳୀ ଠିକ୍‌ ନ ଥିବାରୁ ମୋଟାପଣ ବଢ଼ୁଛି। ଦେଶ ତୁଳନାରେ ଓଡ଼ିଶାରେ ଅଧିକ ଲୋକ ଏପରି ଶାରୀରିକ ଅସନ୍ତୁଳନତାର ଶିକାର ହେଉଛନ୍ତି। ଭାରତରେ ୩୦% ଲୋକ ମୋଟାପଣର ଶିକାର ହେଉଥିବା ବେଳେ ଓଡ଼ିଶାରେ ଏହା ୩୩% ରହିଛି ବୋଲି ଏମ୍‌ସ ଭୁବନେଶ୍ୱରର ପୂର୍ବତନ ନିର୍ଦ୍ଦେଶକ ଡା. ଅଶୋକ କୁମାର ମହାପାତ୍ର କହିଛନ୍ତି। ଓଡ଼ିଶା ପ୍ରାଦେଶିକ ଆୟୁର୍ବେଦିକ ସମ୍ମିଳନୀ ଓ ଅଖିଳ ଭାରତୀୟ ଆୟୁର୍ବେଦିକ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ରବିବାର ବ୍ଲାଇଣ୍ଡ୍‌ ଆସୋସିଏଶନ ସମ୍ମିଳନୀ କକ୍ଷରେ ‘ଚତୁର୍ଥ ବାର୍ଷିକ ଅଧିବେଶନ’ ଅନୁଷ୍ଠିତ ହୋଇଥିଲା। ଏଥିରେ ଡା. ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ସତ୍ୟ ଯୁଗରୁ ଆୟୁର୍ବେଦିକ ଚିକିତ୍ସା ରହି ଆସିଛି। ଆଉ ମହାପ୍ରଭୁ ଶ୍ରୀଜଗନ୍ନାଥ ମଧ୍ୟ ଅସୁସ୍ଥ ହେଲେ ଆୟୁର୍ବେଦିକ ଚିକିତ୍ସା କରାଯାଉଛି। ବର୍ତ୍ତମାନ ଲୋକମାନେ ଜୀବନ ଶୈଳୀରେ ପରିବର୍ତ୍ତନ କରିଛନ୍ତି। ଶରୀର, ମନ ଓ ଆତ୍ମା ଭିତରେ ସମନ୍ବୟ ରହୁନି। ମନ ସ୍ଥିର ରହିବା ସହିତ ଆତ୍ମା ଶାନ୍ତ ରହିଲେ ରୋଗ ହେବ ନାହିଁ ବୋଲି ସେ ମତବ୍ୟକ୍ତ କରିଥିଲେ।
ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଚିକିତ୍ସା ବିଜ୍ଞାନରେ ସର୍ବପୁରାତନ ଭାବେ ଆୟୁର୍ବେଦିକ ଚିକିତ୍ସାକୁ ଗ୍ରହଣ କରାଯାଇଛି। ଆଜିପର୍ଯ୍ୟନ୍ତ ସମଗ୍ର ମାନବ ସମାଜକୁ ଏହା ପାର୍ଶ୍ୱ ପ୍ରତିକ୍ରିୟାବିହୀନ ସ୍ବାସ୍ଥ୍ୟସେବା ଯୋଗାଇ ଆସୁଛି। କୋଭିଡ୍‌ ସମୟରେ ଆୟୁର୍ବେଦିକ ଚିକିତ୍ସା ରୋଗୀଙ୍କୁ ନୂଆ ଜୀବନ ଦେଇଛି। ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୫-ଟି କାର୍ଯ୍ୟକ୍ରମରେ ଆୟୁଷ ଡାକ୍ତରଖାନାକୁ ରୂପାନ୍ତରିତ କରୁଥିବା ସ୍ବାସ୍ଥ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରଫେସର ନାରାୟଣ ଚନ୍ଦ୍ର ଦାଶ ଆୟୁର୍ବେଦିକ ଚିକିତ୍ସାରେ ସବୁବେଳେ ଲୋକେ କିପରି ସୁସ୍ଥ ହୋଇପାରିବେ, ତାହା ଉପରେ ଚିକିତ୍ସା କରାଯାଏ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ସମ୍ମିଳନୀର ସଭାପତି ଉମେଶ ଚନ୍ଦ୍ର ପୃଷ୍ଟି, ସମ୍ପାଦକ ଗୌରୀ ଶଙ୍କର ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ତିନିଶହରୁ ଊର୍ଦ୍ଧ୍ୱ ଚିକିତ୍ସକ ଓ ଗବେଷକ ଯୋଗଦେଇଥିଲେ। ଏହି ଅବସରରେ ନୂତନ ସଭାପତି ଭାବେ ଡା. ଧନେଶ୍ୱର ବଳିଆରସିଂହ ଏବଂ ସାଧାରଣ ସମ୍ପାଦକ ଭାବେ ଡା. ଶରତ କୁମାର ରାଉତ ନିର୍ବାଚିତ ହୋଇଥିଲେ।

Share