Categories: ଖେଳ

ଜାତୀୟ ମହିଳା ହକି କ୍ୟାମ୍ପରେ ୩୩ ଖେଳାଳି: ଓଡ଼ିଶାରୁ ୩ ସାମିଲ

ବେଙ୍ଗାଲୁରୁ, ୯ା୪(ପି.ଟି.): ସୋମବାର ହକି ଇଣ୍ଡିଆ ପକ୍ଷରୁ ଜାତୀୟ ହକି କ୍ୟାମ୍ପ ପାଇଁ ୩୩ ଜଣ ସମ୍ଭାବ୍ୟ ଖେଳାଳିଙ୍କ ତାଲିକା ପ୍ରକାଶ ପାଇଛି। ଗୋଲକିପର ସବିତା ପୁନିଆ ଓ ଫରଓ୍ବାର୍ଡ ବନ୍ଦନା କାଟାରିୟାଙ୍କ ଭଳି ସିନିୟର ଖେଳାଳିଙ୍କୁ ସ୍ଥାନ ମିଳିଥିବା ବେଳେ କିଛି ଯୁବ ଖେଳାଳିଙ୍କୁ ସାମିଲ କରାଯାଇଛି। ଏହି କ୍ୟାମ୍ପରେ ଓଡ଼ିଶାର ଆଜମିନା କୁଜୁର, ମାଧୁରୀ କିଣ୍ଡୋ ଓ ଜ୍ୟୋତି ଛତ୍ରୀଙ୍କୁ ସାମିଲ କରାଯାଇଛି। ଏହି ଖେଳାଳିଙ୍କୁ ନେଇ ମେ ୧୬ ତାରିଖ ଯାଏ କ୍ୟାମ୍ପ ଅନୁଷ୍ଠିତ ହେବ। ପୂର୍ବରୁ ଜାତୀୟ ଚାମ୍ପିୟନଶିପ୍‌ ପରେ ୬୦ ଖେଳାଳିଙ୍କୁ ଚୟନ କରାଯାଇଥିଲା। ଏପ୍ରିଲ ୬ ଓ ୭ ତାରିଖରେ ଦୁଇ ଦିନିଆ ଟ୍ରାଏଲ୍ସ ପରେ ଏହା ମଧ୍ୟରୁ ୩୩ ଖେଳାଳିଙ୍କୁ ଚୟନ କରାଯାଇଛି। ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ ଲାଗି ବିଫଳ ହେବା ପରେ ଭାରତୀୟ ଦଳରେ କିଛି ପରିବର୍ତ୍ତନ ମଧ୍ୟ କରାଯାଇଛି। ମେ ୨୨ ତାରିଖରେ ପ୍ରୋ ଲିଗ୍‌ ହକି ପାଇଁ ଭାରତୀୟ ମହିଳା ଆଣ୍ଟେର୍ପ ଓ ଲଣ୍ଡନ ଗସ୍ତ କରିବ। ଏହି ଗସ୍ତରେ ଭାରତ ଆର୍ଜେଣ୍ଟିନା, ବେଲଜିୟମ, ଜର୍ମାନୀ ଓ ଗ୍ରେଟ୍‌ ବ୍ରିଟେନ୍‌ ସହ ମ୍ୟାଚ୍‌ ଖେଳିବ।
ହକି ଇଣ୍ଡିଆର ହାଇ ପର୍ଫର୍ମାନ୍ସ ନିର୍ଦ୍ଦେଶକ ହର୍ମାନ କ୍ରୁଇସ୍‌ ସମ୍ଭାବ୍ୟ ଦଳକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି। ୧୪ତମ ଜାତୀୟ ହକି ଚାମ୍ପିୟନଶିପ୍‌ରୁ ହିଁ ଏହି ଖେଳାଳିମାନଙ୍କ ଚୟନ କରାଯାଇଛି। ସବିତା ପୁନିଆ, ଡିଫେଣ୍ଡର ନିକ୍କି ପ୍ରଧାନ, ମିଡ ଫିଲ୍ଡର ସଲିମା ଟେଟେ, ଅଜମିନା କୌର ଓ ନିଶା କ୍ୟାମ୍ପରେ ରହିଛନ୍ତି। ପ୍ରଥମ ପସନ୍ଦର ଫରଓ୍ବାର୍ଡ ଖେଳାଳି ଭାବରେ ଲାଲରେମସିଆମି, ସଙ୍ଗୀତା କୁମାରୀ ଓ ବନ୍ଦନା କାଟାରିୟା ମଧ୍ୟ ରହିଛନ୍ତି। ଜାତୀୟ ଚାମ୍ପିୟନଶିପରେ ପ୍ରଦର୍ଶନ ଆଧାରରେ ମାରିନା ଲାଲରାମନଘାକି, ମନୀଷା ଚୌହାନଙ୍କୁ ମଧ୍ୟ ଡାକରା ମିଳିଛି। ଶେଷ ଥର ପାଇଁ ୨୦୧୭ରେ ଜାତୀୟ ଦଳ ପକ୍ଷରୁ ଖେଳିଥିବା ପ୍ରୀତି ଦୁବେଙ୍କୁ ଦଳକୁ ଡାକରା ମିଳିଛି। ଜୁନିୟର ଦଳର ସଦସ୍ୟ ରହିଥିବା ମାଧୁରୀ କିଣ୍ଡୋ, ଡିଫେଣ୍ଡର ରୋପନି କୁମାରୀ, ପ୍ରୀତି, ମିଡଫିଲ୍ଡର ଏଡୁଲା ଜ୍ୟୋତି, ଫରଓ୍ବାର୍ଡ ଖେଳାଳି ଦୀପିକା ସୋରେଙ୍ଗ ଓ ଋତୁଜା ପିସାଲଙ୍କୁ ଡାକରା ମିଳିଛି।

Share