ଭୁବନେଶ୍ୱର, ୮।୯(ବ୍ୟୁରୋ): ବନ୍ୟା, ବାତ୍ୟା ଭଳି ବଜ୍ରପାତ ମଧ୍ୟ ରାଜ୍ୟରେ ଅନ୍ୟ ଏକ ଭୟଙ୍କର ବିପତ୍ତି ଭାବେ ଦେଖାଦେଇଛି। ପ୍ରତ୍ୟେକ ବର୍ଷ ବଜ୍ରପାତରେ ୩୦୦ରୁ ୪୦୦ ଲୋକଙ୍କର ଜୀବନ ଯାଉଛି। ଜଳବାୟୁରେ ପରିବର୍ତ୍ତନ ଏବଂ ଆଗୁଆ ସୂଚନା ନ ମିଳିବାରୁ ବହୁ ଲୋକ ବଜ୍ରପାତର ଶିକାର ହେଉଛନ୍ତି। ଜନସଚେତନତା ଅଭାବ ଯୋଗୁ ଏହି ବିପତ୍ତିରେ ମୃତ୍ୟୁସଂଖ୍ୟା ବେଳକୁ ବେଳ ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟର ୧୧ଟି ଜିଲାରେ ସମୁଦାୟ ମୃତ୍ୟୁର ଦୁଇ ତୃତୀୟାଂଶ ଲୋକ ବଜ୍ରପାତର ଶିକାର ହେଉଛନ୍ତି।
ସ୍ବତନ୍ତ୍ର ରିଲିଫ କମିଶନର(ଏସଆରସି)ଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୧-୧୨ରୁ ୨୦୨୦-୨୧ ଅଗଷ୍ଟ ମାସ ସୁଦ୍ଧା ରାଜ୍ୟରେ ୩୩୧୫ ଲୋକ ବଜ୍ରପାତର ଶିକାର ହୋଇଛନ୍ତି। ୨୦୧୧-୧୨ରେ ୩୫୨ ଜଣ ଲୋକ ବଜ୍ରପାତରେ ଜୀବନ ହରାଇଥିବା ବେଳେ ୨୦୧୨-୧୩ରେ ୨୯୪, ୨୦୧୩-୧୪ରେ ୩୭୦, ୨୦୧୪-୧୫ରେ ୩୧୨, ୨୦୧୫-୧୬ରେ ୪୦୪, ୨୦୧୬-୨୦୧୭ରେ ୪୦୧, ୨୦୧୭-୧୮ରେ ୪୭୦, ୨୦୧୮-୧୯ରେ ୩୩୪ ଏବଂ ୨୦୧୯-୨୦୨୦ରେ ୨୮୧ ଜଣଙ୍କର ମୃତ୍ୟୁ ହୋଇଛି। ୨୦୨୦ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ମାତ୍ର ୫ ମାସରେ ୯୭ ଜଣଙ୍କର ଜୀବନ ଗଲାଣି। ସେହିପରି ଅନ୍ୟାନ୍ୟ ଜିଲାରେ ମଧ୍ୟ ବଜ୍ରପାତରେ ଅନେକ ଜୀବନ ଯାଉଛି। ରାଜ୍ୟର ୧୧ ଜିଲାରେ ବଜ୍ରପାତରେ ସର୍ବାଧିକ ମୃତ୍ୟୁ ହେଉଛି। ମୟୂରଭଞ୍ଜରେ ୩୫୦ ଜଣଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିବା ବେଳେ ଗଞ୍ଜାମରେ ୨୦୨୦, ସୁନ୍ଦରଗଡ ୧୯୧, କେନ୍ଦ୍ରାପଡା ୧୦୯, କେନ୍ଦୁଝର ୨୦୯, କଟକ ୧୭୭, ଢେଙ୍କାନାଳ ୧୫୪, ବଲାଙ୍ଗୀର ୧୧୨, ଭଦ୍ରକ ୧୦୮, ବରଗଡ ୧୧୫ ଏବଂ ବାଲେଶ୍ୱର ଜିଲାରେ ୧୮୨ ଜଣଙ୍କର ମୃତ୍ୟୁ ହୋଇଛି। ବଜ୍ରପାତ ବିପତ୍ତିରୁ ଲୋକମାନଙ୍କୁ ରକ୍ଷା କରିବା ପାଇଁ ଆଗୁଆ ସତର୍କ ସୂଚନା ଦେବା ସକାଶେ ରାଜ୍ୟ ସରକାର ଆମେରିକା କମ୍ପାନୀ ଆର୍ଥ ନେଟଓ୍ବର୍କ ସହ ବୁଝମଣା ପତ୍ର ସ୍ବାକ୍ଷର କରିଛନ୍ତି। ବଜ୍ରପାତ ହେବାର ୪୫ ମିନିଟ ପୂର୍ବରୁ ଲୋକମାନଙ୍କୁ ଏ ନେଇ ସତର୍କ କରାଯିବ। ଯଦିଓ ଏସ୍ଏମ୍ଏସ୍ ମାଧ୍ୟମରେ ଖବର ସୂଚନା ଦିଆଯାଉଛି ତେବେ ଏହି ସୂଚନା ଲୋକଙ୍କ ପାଖରେ ଠିକ ସମୟରେ ପହଞ୍ଚିପାରୁ ନାହିଁ। ବଜ୍ରପାତ ହେବା ପୂର୍ବରୁ ଲୋକମାନେ ନିଜକୁ ସୁରକ୍ଷିତ କରି ପାରୁ ନାହାନ୍ତି। ଫଳରେ ରାଜ୍ୟରେ ମୃତ୍ୟହାର ବଢି ଚାଲିଛି।
ତେବେ ରାଜ୍ୟରେ ବିଭିନ୍ନ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଗ୍ରାମାଞ୍ଚଳରେ ଗ୍ରାମ ବିପର୍ଯ୍ୟୟ ପରିଚାଳନା ଯୋଜନା (ଭିଡିଏମ୍ପି) କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ସମ୍ବେଦନଶୀଳ ଗ୍ରାମକୁ ସାମିଲ କରାଯିବ। ପରବର୍ତ୍ତୀ ସମୟରେ ରାଜ୍ୟର ୫୦ ହଜାର ଗ୍ରାମକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ଏଥିରେ ଗ୍ରାମର ଯୁବତୀ ଯୁବକମାନଙ୍କୁ ସାମିଲ କରାଯିବ। ସେମାନଙ୍କୁ ଜିଲା ଓ ରାଜ୍ୟସ୍ତରରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଭିଡିପିଏମ୍ପିରେ ସ୍ବୟଂ ସହାୟକ ଗୋଷ୍ଠୀଗୁଡିକୁ ସାମିଲ କରାଯିବ। ଏହି ଯୋଜନାରେ ଗଠିତ ବିପର୍ଯ୍ୟୟ ପରିଚାଳନା ଗୋଷ୍ଠୀରେ ସଚେତନତାଠାରୁ ଆରମ୍ଭ କରି ଉଦ୍ଧାର, ଗବେଷଣା, ସୂଚନା ଆଦି ବିଷୟରେ ସ୍ବତନ୍ତ୍ର ଦଳ ଗଠନ କରାଯିବ। ସେମାନେ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଜିଲା ପ୍ରାକୃତିକ ବିପର୍ଯ୍ୟୟ ଅଧିକାରୀଙ୍କୁ ଜଣାଇବେ। ବିପତ୍ତି ଆସିବା ପୂର୍ବରୁ ଓ ପରେ ଲୋକମାନଙ୍କୁ ସଚେତନ କରାଯାଇପାରିବ। ଫଳରେ ରାଜ୍ୟରେ ପ୍ରାକୃତିକ ବିପତ୍ତି ଯୋଗୁ ହେଉଥିବା ମୃତ୍ୟୁକୁ ଅନେକାଂଶରେ ହ୍ରାସ କରାଯାଇପାରିବ ବୋଲି ଡେପୁଟି ରିଲିଫ କମିଶନର ପ୍ରଭାତ ରଞ୍ଜନ ମହାପାତ୍ର କହିଛନ୍ତି।