Categories: ଜାତୀୟ

ଗ୍ରାମାଞ୍ଚଳରେ କରୋନା ମୁକାବିଲା ପାଇଁ ଓଡ଼ିଶାକୁ ୩୩୩.୮ କୋଟି ଅନୁଦାନ

ନୂଆଦିଲ୍ଲୀ, ୯।୫: ଗ୍ରାମାଞ୍ଚଳରେ କରୋନା ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ସରକାର ୨୫ଟି ରାଜ୍ୟ ନିମନ୍ତେ ୮,୯୨୩.୮ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି। ଓଡ଼ିଶାକୁ ୩୩୩. ୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଯଥା ଗ୍ରାମ ପଞ୍ଚାୟତ, ବ୍ଲକ ଏବଂ ଜିଲା ସ୍ତରରେ ଏହି ଅର୍ଥ ଖର୍ଚ୍ଚ କରାଯିବ ବୋଲି ରବିବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ୨୦୨୧-୨୨ ଆର୍ଥତ୍କ ବର୍ଷ ଲାଗି ଅନୁଦାନର ପ୍ରଥମ କିସ୍ତି ଭାବେ ଏହା ପ୍ରଦାନ କରାଯାଇଛି।
ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସ କ୍ରମେ ୨୦୨୧ ଜୁନ୍‌ରେ ରାଜ୍ୟଗୁଡ଼ିକୁ ଅନୁଦାନର ପ୍ରଥମ କିସ୍ତି ମିଳିବା କଥା। କିନ୍ତୁ ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ପଞ୍ଚାୟତିରାଜ ମନ୍ତ୍ରଣାଳୟର ସୁପାରିସ କ୍ରମେ ଅର୍ଥ ମନ୍ତ୍ରଣାଳୟ ଆଗୁଆ ଅନୁଦାନ ଅର୍ଥ ପୈଠ କରିବା ଲାଗି ନିଷ୍ପତ୍ତି ନେଇଥିଲା। ଉତ୍ତରପ୍ରଦେଶକୁ ସର୍ବାଧିକ ୧୪୪୧.୬ କୋଟି ଟଙ୍କା ଅନୁଦାନ ମିଳିଥିବାବେଳେ ମହାରାଷ୍ଟ୍ରକୁ ୮୬୧.୪ କୋଟି, ବିହାରକୁ ୭୪୧.୮ କୋଟି, ପଶ୍ଚିମବଙ୍ଗକୁ ୬୫୨.୨ କୋଟି, ମଧ୍ୟପ୍ରଦେଶକୁ ୫୮୮.୮ କୋଟି, ରାଜସ୍ଥାନକୁ ୫୭୦.୮ କୋଟି ଏବଂ ତାମିଲନାଡୁକୁ ୫୩୩. ୨ କୋଟି ଟଙ୍କା ପ୍ରଦାନ କରାଯାଇଛି। ଗୁଜରାଟ ୪୭୨.୪ କୋଟି ପାଇଥିବାବେଳେ କର୍ନାଟକକୁ ୪୭୫.୪ କୋଟି ଟଙ୍କା ଅନୁଦାନ ମିଳିଛି।

Share