ଅଚଳ ହୋଇ ପଡ଼ିଛି ୨ ସହରର ୩୪ ସିସି କ୍ୟାମେରା

ସୁନାବେଡ଼ା/ ସେମିଳିଗୁଡ଼ା ୧୨ା୯ (କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): ସୁନାବେଡ଼ା ଓ ସେମିଳିଗୁଡ଼ା ହେଉଛି ବ୍ୟବସାୟିକ ସହର। ସୁନାବେଡ଼ାରେ ହାଲ୍‌ ପରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ରହିଛି। ଦିନକୁ ଦିନ ଜନସଂଖ୍ୟା ମଧ୍ୟ ବଢୁଛି। ବିଭିନ୍ନ କାର୍ଯ୍ୟରେ ଦୁଇ ସହରକୁ ବାହାର ଅଞ୍ଚଳରୁ ଲୋକମାନେ ଯାତାୟାତ କରିଥାନ୍ତି। ଏପରି ଗୁରୁତ୍ୱପୂର୍ଣ୍ଣ ସହରାଞ୍ଚଳରେ ଦୀର୍ଘଦିନ ହେବ ସିସି କ୍ୟାମେରା ଅଚଳ ହୋଇ ପଡିଛି। ଏଥିରୁ ଲୁଟେରାମାନେ ବେଶ୍‌ ଫାଇଦା ଉଠାଉଛନ୍ତି। ଯେକୌଣସି ଅପରାଧ ଘଟିଲେ ଅପରାଧୀଙ୍କୁ ଚିହ୍ନଟ କରିବା କଷ୍ଟକର ହୋଇପଡୁଛି। ସୁନାବେଡ଼ା ପୌର ପରିଷଦ ପକ୍ଷରୁ ତତ୍କାଳୀନ ପୌରାଧ୍ୟକ୍ଷା ଶୁଭଶ୍ରୀ ମଲ୍ଲିକଙ୍କ ଦ୍ବାରା ୨୦୧୯ରେ ପ୍ରାୟ ୨୦ ଲକ୍ଷରୁ ଊଦ୍ଧର୍‌ବ ଟଙ୍କା ବ୍ୟୟରେ ଉଭୟ ସହରର ମୁଖ୍ୟ ରାସ୍ତା ତଥା ଓ ଛକଗୁଡ଼ିକରେ ୩୪ ସିସି କ୍ୟାମେରା ଲଗାଯାଇଥିଲା। ସେଥିରୁ ସୁନାବେଡ଼ା ଥାନା ଅଧୀନରେ ୨୬ଟି ଓ ସେମିଳିଗୁଡ଼ା ଥାନା ଅଧୀନରେ ୮ଟି ସିସି କ୍ୟାମେରା ଲାଗିଥିଲା। ଏବେ ସେମିଳିଗୁଡ଼ା ଓ ସୁନାବେଡ଼ା ଅଞ୍ଚଳର ସବୁ ସିସି କ୍ୟାମେରା ଅଚଳ ହୋଇ ପଡିଛି। ପ୍ରତ୍ୟହ ଏହି ଦୁଇ ସହରରେ ଚୋରି, ଛିନ୍‌ତାଇ ଓ ରାହାଜାନି ବଢ଼ିଚାଲିଛି। ଏହା ସ୍ଥାନୀୟ ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ନାରାୟଣ ନାୟକଙ୍କୁ ପଚାରିବାରୁ ସେ କହିଲେ, ଦୁଇ ସହରର ସିସି କ୍ୟାମେରା ଅଚଳ ବିଷୟରେ ଅବଗତ ଅଛି। ଏଗୁଡିକର ମରାମତି ବାବଦକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ। ଏହାକୁ କାଉନସିଲ ବୈଠକରେ ପାରିତ କରାଯାଇ ବଜେଟ ଦେଖି ମରାମତି ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

Share