ଝାରସୁଗୁଡ଼ାରେ ଗୋଟିଏ ଦିନରେ ୩୪ କରୋନା ଆକ୍ରାନ୍ତ ଚିହ୍ନଟ

ଝାରସୁଗୁଡ଼ା ଅଫିସ,୨୨ା୭: ଝାରସୁଗୁଡ଼ା ଜିଲାରେ କରୋନା କାୟା ବିସ୍ତାର କରିଚାଲିଛି। ଏହାକୁ ନେଇ ଜିଲା ପ୍ରଶାସନର ମୁଣ୍ଡବ୍ୟଥା ବଢ଼ିଯାଇଥିବା ବେଳେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ବୁଧବାର ଜିଲାରୁ ୩୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦ରେ ପହଞ୍ଚିଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୩ ଜଣ ରଘୁନାଥପାଲି ଟିଏମ୍‌ସି, ୬ ଜଣ ବ୍ରଜରାଜନଗର ମ୍ୟୁନିସିପାଲିଟିରୁ, ୩ ଜଣ ଲଖନପୁର ବ୍ଲକରୁ ଓ ୨ ଜଣ ଲଇକେରା ବ୍ଲକ ଅଞ୍ଚଳରୁ ବୋଲି ଜଣାପଡ଼ିଛି। ତେବେ ଜିଲା ପ୍ରଶାସନ ପକ୍ଷରୁ କୋଲାବିରା ବ୍ଲକର ରଘୁନାଥପାଲି ପଞ୍ଚାୟତକୁ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଶଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏନେଇ ଜିଲାପାଳ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେହିପରି ଲଇକେରା ପଞ୍ଚାୟତରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସରପଞ୍ଚ ସୁଶୀଲ କିଶାନ ସ୍ଥାନୀୟ ଅଞ୍ଚଳକୁ ତିନି ଦିନିଆ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ, ଜିଲାରେ ଚିହ୍ନଟ ହୋଇଥିବା ୨୬୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ୭୮ ଚିକିତ୍ସିତ ହେଉଛନ୍ତି।