ଓଡ଼ିଆ ଆଇପିଏସ୍‌ ଅଧିକାରୀଙ୍କୁ ଗୁରୁତ୍ୱ

ଭୁବନେଶ୍ୱର,୧୭ା୭(ବ୍ୟୁରୋ):  ନିକଟରେ ରାଜ୍ୟର ୩ଜଣ ଓଡ଼ିଆ ଅଫିସରଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରାଯାଇଛି। ଦୀର୍ଘ ଦିନ ପରେ ଓଡ଼ିଆ ଅଧିକାରୀଙ୍କୁ ଏଭଳି ପଦବୀରେ ଅବସ୍ଥାନ କରି ରାଜ୍ୟରେ ଓଡ଼ିଆ ଓ ଅଣଓଡ଼ିଆ ଅଫିସରଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧକୁ ଘୋଡ଼ାଇବାକୁ ଚେଷ୍ଟା କରାଯାଇଛି। ରାଜ୍ୟ ପୋଲିସ ବିଭାଗରେ ଗତ କିଛିବର୍ଷ ହେଲା ଅଣଓଡ଼ିଆ ଅଫିସର ସର୍ବୋଚ୍ଚ ତଥା ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ଆସୁଥିବା ଦେଖିବାକୁ ମିଳୁଛି। କେବଳ ସେତିକି ନୁହେଁ, ଅଧିକାଂଶ ଅଣଓଡ଼ିଆ ପୋଲିସ ଅଫିସରଙ୍କୁ ଅବସର ପରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ୱାସି ଜୁଡିସିଆଲ (ଅର୍ଦ୍ଧ ନ୍ୟାୟ) ପଦବୀରେ ଅବସ୍ଥାପିତ କରାଯାଉଥିବା ନଜିର ରହିଛି। ଅପରପକ୍ଷରେ ବହୁ ଦକ୍ଷ ଓଡ଼ିଆ ଅଧିକାରୀ ଥିଲେ ସୁଦ୍ଧା ସେମାନଙ୍କୁ ଏକ ପ୍ରକାର କୋଣଠେସା କରି ରଖାଯାଉଛି। ବିଶେଷଭାବେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଇଙ୍ଗିତରେ ଏଭଳି କରାଯାଉଥିବା ବିଭିନ୍ନ ସମୟରେ ଆଲୋଚନା ହୋଇଆସୁଛି।
ଉଚ୍ଚ ପଦରେ ଥିବା ଅଣଓଡ଼ିଆ ଅଫିସରମାନେ ସେମାନଙ୍କୁ ସୁହାଉଥିବା ତଥା ସେମାନଙ୍କ ପାଇଁ ଅନୁଗତ ଥିବା ଅଧିକାରୀଙ୍କୁ ଭଲ ସ୍ଥାନରେ ବସାଇ ନିଜ ସ୍ଥିତିକୁ ମଜଭୁତ୍‌ କରୁଛନ୍ତି। ଏମିତିକି ଜଣ ଜଣଙ୍କ ପାଖରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପଦବୀ ରହିଥିବା ଉଦାହରଣ ରହିଛି। ରାଜ୍ୟରେ ଅଣଓଡ଼ିଆ ଆଇପିଏସ୍‌ ଅଫିସରଙ୍କ ତୁଳନାରେ ଓଡ଼ିଆ ଅଧିକାରୀଙ୍କ ସଂଖ୍ୟା କମ୍‌ ଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଏଭଳିସ୍ଥିତିରେ ରାଜ୍ୟ ପୋଲିସ ବିଭାଗର ଭାବମୂର୍ତ୍ତି ସୁଧାରିବା ଉଦ୍ଦେଶ୍ୟରେ ଗତ ମାସ ୨୪ତାରିଖରେ ୩ ବରିଷ୍ଠ ଓଡ଼ିଆ ଅଫିସରଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦ ଦିଆଯାଇଛି। ୧୯୯୨ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଲଳିତ ଦାସଙ୍କୁ ଗୋଇନ୍ଦା ବିଭାଗର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ସେ ଏହା ପୂର୍ବରୁ ମୁଖ୍ୟାଳୟର ଅତିରିକ୍ତ ଡିଜି ଭାବେ କାର୍ଯ୍ୟ କରୁଥିଲେ। ସେହିପରି ଗୃହରକ୍ଷୀ ଏବଂ ଅଗ୍ନିଶମ ବିଭାଗର ଆଇଜି ଥିବା ଅସିତ ପାଣିଗ୍ରାହୀଙ୍କୁ ଭିଜିଲାନ୍ସ ଆଇଜି ଭାବେ ଅବସ୍ଥାପିତ କରାଯାଇଛି। ପରିବହନ କମିଶନର ଥିବା ସଞ୍ଜୀବ ପଣ୍ଡାଙ୍କୁ କ୍ରାଇମବ୍ରାଞ୍ଚର ଅତିରିକ୍ତ ଡିଜି
ଭାବେ ନିଯୁକ୍ତ କରାଯାଇଛି। ଦକ୍ଷ ଅଧିକାରୀଙ୍କୁ ଉପଯୁକ୍ତ ସ୍ଥାନରେ ଅବସ୍ଥାପିତ କରାଗଲେ ସେମାନେ ନିଜର ଦାୟିତ୍ୱକୁ ଠିକ୍‌ଭାବେ ତୁଲାଇ ପାରିବେ। ତେଣୁ କୌଣସି ପାତରଅନ୍ତର ନ କରାଯାଇ ଯେଉଁମାନେ ଦକ୍ଷ ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦ ଦିଆଯିବା ଉଚିତ ବୋଲି ଅବସରପ୍ରାପ୍ତ ବରିଷ୍ଠ ପୋଲିସ ଅଧିକାରୀ ମତ ଦେଇଛନ୍ତି।

Share