ମୁମ୍ବାଇ,୩।୩: ୟୁକ୍ରେନ୍ରୁ ଫେରିଥିବା କେତେଜଣ ଛାତ୍ର ସେମାନଙ୍କ ଦୁଃଖଦ ଅନୁଭୂତି ବଖାଣିଛନ୍ତି। ସେମାନଙ୍କୁ ୟୁକ୍ରେନ୍ ସୀମାରେ ଶୂନରୁ କମ୍ ଡିଗ୍ରୀ ତାପମାତ୍ରାରେ ୩୫ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟରେ ଧାଡ଼ିରେ ଛିଡ଼ାହେବାକୁ ପଡ଼ିଥିଲା। ନା ଥିଲା ଖାଦ୍ୟ ନା ପାଣି। ଏପରିକି ଟଏଲେଟ ମଧ୍ୟ ନ ଥିଲା। ୟୁକ୍ରେନ୍ ସୈନ୍ୟଙ୍କ ଠାରୁ ଧକ୍କା ଓ ମାଡ଼ ଖାଇବାକୁ ପଡ଼ୁଥିଲା। ଲଗେଜ୍ ଧରି ୧୦ କିଲୋମିଟରରୁ ଅଧିକ ରାସ୍ତା ଚାଲିଚାଲି ୧୮୨ ଜଣ ଭାରତୀୟ ଛାତ୍ରୀଛାତ୍ର ସୀମା ପାର ହେବା ପରେ ରୋମାନିଆର ବୁକାରେଷ୍ଟକୁ ଯାଇଥିଲେ। ସେଠାରୁ ମଙ୍ଗଳବାର ସକାଳେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ଯୋଗେ ସେମାନେ ମୁମ୍ବାଇରେ ପହଞ୍ଚତ୍ଥିଲେ। ଏହାର ପୂର୍ବ ୪/୫ ଦିନ ସେମାନେ ଆତଙ୍କ ମଧ୍ୟରେ ରହିଥିଲେ ବୋଲି କହିଛନ୍ତି।
ବୁକାରେଷ୍ଟର ହେନ୍ରି କୋଏଣ୍ଡା ବିମାନ ବନ୍ଦରରେ ଆହୁରି ୨,୦୦୦ ଭାରତୀୟ ଛାତ୍ର ଫେରିବା ପାଇଁ ଅପେକ୍ଷା କରିଛନ୍ତି। ଅନ୍ୟ ୩,୦୦୦ ଛାତ୍ରୀଛାତ୍ର ୟୁକ୍ରେନ୍ ପାର୍ଶ୍ୱରେ ଅଟକି ରହିଥିବା ବିହାର ମୁଜାଫରପୁରର ଦୀନନାଥ ରାୟ (୨୧) କହିଛନ୍ତି। ସେହିପରି ୫ ମାସ ପୂର୍ବରୁ ୟୁକ୍ରେନ୍ ଯାଇଥିବା ଦରଭଙ୍ଗା ଅଞ୍ଚଳର ସୌରଭ କୁମାର କହିଛନ୍ତି, ଫେବୃୟାରୀ ୨୪ରୁ ତାଙ୍କ ସମେତ ୧୫୦ ଜଣ ପିଲା ହଷ୍ଟେଲ ବେସ୍ମେଣ୍ଟରେ ଏକ ବଙ୍କର ମଧ୍ୟରେ ରହିଥିଲେ। ପ୍ରତି ୧୫-୨୦ ମିନିଟରେ ବିମାନ ଆକ୍ରମଣ ସାଇରନ ବାଜୁଥିବାରୁ ସେମାନେ ବାହାରକୁ ବାହାରିପାରୁ ନ ଥିଲେ। ରୋମାନିଆକୁ ଆସିବା ପରେ ସେଠାକାର ସରକାର ଓ ନାଟୋ ପକ୍ଷରୁ ଖାଦ୍ୟ, ପାଣି ଓ ଆଶ୍ରୟ ଯୋଗାଇ ଦିଆଯାଇଥିଲା।