ରୋଷେଇଘରେ ଲୁଣର ସ୍ଥାନ ସ୍ବତନ୍ତ୍ର। କାରଣ ଖାଦ୍ୟର ସ୍ବାଦ ଏହା ଉପରେ ନିର୍ଭର କରେ। ଏହାର ଦାମ୍ ବି ବେଶି ନ ଥାଏ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ଏକ ଲୁଣ ଅଛି ଯାହାକୁ କିଣିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। କାରଣ ଏହାର ଦାମ୍ ୧ କି.ଗ୍ରା.କୁ ୩୫୦୦୦ଟଙ୍କାରୁ ଊର୍ଦ୍ଧ୍ୱ। ସେଥିପାଇଁ ଏହାକୁ ପୃଥିବୀର ସବୁଠାରୁ ଦାମୀ ଲୁଣଭାବେ ମଧ୍ୟ ଗଣନା କରାଯାଏ। ଏହାର ନାମ ହେଉଛି ‘କୋରିଆନ୍ ବାମ୍ବୁ ସଲ୍ଟ’। ତେବେ ମନରେ ପ୍ରଶ୍ନ ଉଠୁଥିବ ଏହି ଲୁଣର ଦାମ ଏତେ କ’ଣ ପାଇଁ? କାରଣ ଏହାକୁ ତିଆରି କରିବା ବହୁତ କଷ୍ଟ। କୋରିଆରେ ବାମ୍ବୁ ବା ବାଉଁଶ ଲୁଣର ବ୍ୟବହାର କାହିଁ କେଉଁ କାଳୁ ହୋଇ ଆସୁଛି। ହେଲେ ରୋଷ୍ଟେଡ୍ ବାମ୍ବୁ ସଲ୍ଟର ବ୍ୟବହାର ବିଂଶ ଶତାବ୍ଦୀରେ ଆରମ୍ଭ ହୋଇଛି। ଏହି ଲୁଣ ତିଆରି କରିବା ଲାଗି ଲୁଣକୁ ବାଉଁଶ ଭିତରେ ଭର୍ତ୍ତିକରି ମାଟିରେ ବାଉଁଶର ଉଭୟ ପାର୍ଶ୍ୱକୁ ବନ୍ଦ କରିଦିଆଯାଏ। ତା’ପରେ ତାକୁ ଭାଟିରେ ୯ ଥର ରନ୍ଧାଯାଏ। ଏହି ପ୍ରକ୍ରିୟା ଏତେ ଜଟିଳ ଯେ, ଏହାକୁ ତିଆରି କରିବା ଲାଗି ୫୦ ଦିନ ଲାଗିଯାଏ । ତା’ସହ ଏହି ପୂରା ପ୍ରକ୍ରିୟା ହାତରେ ହିଁ କରାଯାଏ। ଏହି ଲୁଣକୁ ସବୁଠାରୁ ଶୁଦ୍ଧ ବୋଲି ମଧ୍ୟ କୁହାଯାଏ। ତେଣୁ ଏହାର ଦାମ ଏତେ ଅଧିକ।