୨ ମାସରେ ମଲେଣି ୩୫୦ ହାତୀ

ଗବୋରୋନ୍‌,୩।୭(ଆଇଏଏନ୍‌ଏସ୍‌):ହାତୀ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଗତ ୨ ମାସ ମଧ୍ୟରେ ଆଫ୍ରିକୀୟ ରାଷ୍ଟ୍ର ବୋତୋସ୍ବାନାରେ ୩୫୦ରୁ ଅଧିକ ହାତୀଙ୍କ ମୃତ୍ୟୁ ଘଟିଥିବା ମିଡିଆ ରିପୋର୍ଟରୁ ଜଣାପଡ଼ିଛି। ତେବେ କିଭଳି ଏମାନଙ୍କ ମୃତ୍ୟୁ ଘଟିଲା, ସେନେଇ କିଛି ତଥ୍ୟ ଲୋକଲୋଚନକୁ ଆସିନି। ଦୁଇ ସପ୍ତାହ ପୂର୍ବରୁ ଲାବ୍‌ର ସାମ୍ପଲ ରିପୋର୍ଟ ଆସିସାରିଛି। ତେବେ ହାତୀ ମରିବାର କାରଣ ସମ୍ପର୍କରେ କିଛି ସ୍ପଷ୍ଟ ହେଉନାହିଁ। ଏତେ କମ୍‌ ସମୟ ମଧ୍ୟରେ ହଠାତ୍‌ ଏତେ ହାତୀ ମରିବାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟିହୋଇଛି। ଏହାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଏଭଳି ରହସ୍ୟମୟ ହାତୀ ମୃତ୍ୟୁକୁ ନେଇ ଚିନ୍ତା ବଢ଼ିଯାଇଛି।
ବ୍ରିଟେନ୍‌ର ଚ୍ୟାରିଟି ନ୍ୟାଶନାଲ ପାର୍କ ସୁରକ୍ଷା ଦାୟିତ୍ୱରେ ଥିବା ନିଆଲ ମ୍ୟାକନ୍‌ କହିଛନ୍ତି, ଦକ୍ଷିଣ ଆଫ୍ରିକୀୟ ଦେଶ ବୋତୋସ୍ବାନାର ଓକାଭାଙ୍ଗୋ ଡେଲ୍ଟା ଅଞ୍ଚଳରେ ଗତ ମେ ମାସରୁ ୩୫୦ ହାତୀଙ୍କ ମୃତଦେହ ମିଳିଥିବା ତାଙ୍କର ଜଣେ ସହକର୍ମୀ ପ୍ରକାଶ କରିଛନ୍ତି। ଡେଲ୍ଟା ଅଞ୍ଚଳରେ ବିମାନରେ ବୁଲିବା ପରେ ଏନେଇ ସ୍ଥାନୀୟ ସଂରକ୍ଷଣକର୍ତ୍ତା ପ୍ରଥମେ ସରକାରଙ୍କୁ ସତର୍କ କରାଇଥିଲେ। ମାତ୍ର ୩ ଘଣ୍ଟାର ଭ୍ରମଣ ମଧ୍ୟରେ ସେ ୧୬୯ ହାତୀ ମରିପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାର ମାସକ ପରେ ଆଉ ଅନେକ ହାତୀଙ୍କ ପ୍ରାଣହାନି ଘଟିଛି। ପ୍ରାୟ ୩୫୦ରୁ ଅଧିକ ହାତୀ ମରିଥିବା କୁହାଯାଉଛି। ମରୁଡ଼ି ନାହିଁ କି ଜଳାଶୟ ଶୁଖିନାହିଁ, ତେବେ ଏଭଳି ହାତୀଙ୍କ ଅଚାନକ ମୃତ୍ୟୁ ଘଟିବାକୁ ନେଇ ସାଧାରଣରେ ବିସ୍ମୟ ଭାବ ସୃଷ୍ଟି ହୋଇଛି। ଗତ ମେ ମାସରେ ବେତୋସ୍ବାନା ସରକାର ହାତୀ ଶିକାର ଘଟଣାକୁ ଏଡ଼ାଇ ଦେଇଥିଲେ। ମୃତ ହାତୀମାନଙ୍କ ଦାନ୍ତ ଅକ୍ଷୁଣ୍ଣ ରହିଥିବା କୁହାଯାଇଥିଲା। ହାତୀଙ୍କୁ ଶିକାରୀମାନେ ସାଇନାଇଡ୍‌ ଦେଇ ମରିବା ଘଟଣା ଏହା ନୁହେଁ ବୋଲି କୁହାଯାଉଛି। ଆନ୍ଥ୍ରାକ୍ସ ବିଷକ୍ରିୟା ଯୋଗୁ ମଧ୍ୟ ଏଭଳି ମୃତ୍ୟୁର କୌଣସି ଚିହ୍ନବର୍ଣ୍ଣ ମିଳୁନି। ତେବେ କେଉଁ କାରଣରୁ ଏଭଳି ଶହ ଶହ ହାତୀ ପ୍ରାଣ ହରାଉଛନ୍ତି, ତାହା ଏବେ ବି ରହସ୍ୟମୟ ହୋଇ ରହିଛି।

Share