ମସ୍କୋ/କ୍ୱିଭ୍,୨୮।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ୟୁକ୍ରେନ ଦାବି କରିଛି ଯେ ଇତିମଧ୍ୟରେ ୩୫୦୦ ରୁଷିଆ ସୈନିକଙ୍କ ଜୀବନ ଗଲାଣି। ଏହା ସହିତ ୨୦୦ ରୁଷୀୟ ସୈନ୍ୟ ଯୁଦ୍ଧବନ୍ଦୀ ହୋଇଛନ୍ତି। ସୈନ୍ୟଙ୍କ ମୃତ୍ୟୁ ଘଟିଥିବା ନେଇ ରୁଷିଆ ମଧ୍ୟ ସ୍ବୀକାର କରିଛି।
ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ମେଜର ଜେନେରାଲ ଇଗୋର କୋନାଶେନକୋଭ କହିଛନ୍ତି ଯେ ଆମର କିଛି ସୈନିକଙ୍କ ମୃତ୍ୟୁ ଘଟିଛି ଏବଂ କେତେକ ଆହତ ହୋଇଛନ୍ତି। ତେବେ ସେ ମୃତ ଓ ଆହତଙ୍କ ସଂଖ୍ୟା ସେ ପ୍ରକାଶ କରିନାହାଁନ୍ତି। ମେଜର ଜେନେରାଲ କୋନାଶେନକୋଭ କହିଛନ୍ତି ଯେ ୟୁକ୍ରେନ ସୈନ୍ୟଙ୍କ ଅପେକ୍ଷା ରୁଷିଆର କ୍ଷତି କମ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ, ରୁଷର ସୈନ୍ୟବାହିନୀ ୟୁକ୍ରେନ୍ର ୧,୦୬୭ ସାମରିକ ଶିବିରକୁ ଧ୍ୱଂସ କରିଛନ୍ତି।
କୋନାଶେନକୋଭ ଏହା ମଧ୍ୟ କହିଛନ୍ତି ଯେ ଆକ୍ରମଣ ଆରମ୍ଭ ହେବା ଦିନଠାରୁ ରୁଷିଆର ସୈନ୍ୟବାହିନୀ ୟୁକ୍ରେନ୍ର ୧୭ଟି କମାଣ୍ଡ ପୋଷ୍ଟ ଏବଂ କଣ୍ଟାକ୍ଟ ସେଣ୍ଟର, ୩୮ ଟି ଏୟାର ଡିଫେନ୍ସ ମିସାଇଲ ସିଷ୍ଟମ ଏବଂ ୫୬ ଟି ରାଡାର ସିଷ୍ଟମକୁ ଧ୍ୱଂସ କରିଛନ୍ତି।