ଲଣ୍ଡନ:ଟାଇପ୍ ୧ ମଧୁମେହ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ରୋଗର ନିରାକରଣ ପାଇଁ ଉନ୍ନତ ଚିକିତ୍ସା ପଦ୍ଧତି ଉପଲବ୍ଧ କରାଇବା ଲାଗି ଅଣ୍ଟା ଭିଡ଼ିଛନ୍ତି ଲଣ୍ଡନର ଇଷ୍ଟ ଫିଞ୍ଚଲିରେ ରହୁଥିବା ଜାମି ଆଉଷ୍ଟିନ୍। ଏ ନେଇ ସେ ଏକ ଚ୍ୟାରିଟି (ଦାତବ୍ୟ ଅନୁଷ୍ଠାନ) ମଧ୍ୟ ପ୍ରତିଷ୍ଠା କରିଛନ୍ତି। ଆସନ୍ତା ୨୩ ତାରିଖରେ ଜାମି ଏମ୍ଆଇ୧ ଚ୍ୟାଲେଞ୍ଜ ନାଁରେ ଏକ ନିଆରା ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି। ଏଥିରେ ସେ ଗାଲଫୋର୍ଥରୁ ବ୍ରେଣ୍ଟ କ୍ରସ୍ ପର୍ଯ୍ୟନ୍ତ ପାଖାପାଖି ୩୫୪ କି.ମି. (୨୨୦ ମାଇଲ) ବାଟ ଦୌଡ଼ିବେ। ଏହି ୧୦ ଦିନିଆ ଅଭିଯାନ ଫେବୃୟାରୀ ୪ ତାରଖରେ ଶେଷ କରିବାର ଯୋଜନା ସେ ରଖିଛନ୍ତି।
ତେବେ ଜାମିଙ୍କ ଏ ପ୍ରକାର ନିଆରା ଅଭିଯାନ ଆରମ୍ଭ କରିବାର ମୂଳ କାରଣ ହେଉଛି ତାଙ୍କ ୧୨ ବର୍ଷୀୟ ପୁଅ ହେନରୀ। ୨୦୨୦ରେ ହେନରୀଙ୍କୁ ଟାଇପ୍-୧ ଡାଇବେଟିସ୍ ହୋଇଥିବା ଜଣାପଡ଼ିବା ପରେ ଜାମିଙ୍କୁ ଏକ ଶକ୍ତ ଧକ୍କା ଲାଗିଥିଲା। କାଳବିଳମ୍ବ ନ କରି ଜାମି ପୁଅ ହେନରୀଙ୍କ ଚିକିତ୍ସା କରାଇଥିଲେ। ଟାଇପ୍-୧ ମଧୁମେହ ଲାଗି ଜୀବନତମାମ ହେନରୀଙ୍କୁ ଇଞ୍ଜେକ୍ସନ ଦିଆଯିବ ବୋଲି ଜଣାପଡ଼ିବା ପରେ ତାହା ଜାମିଙ୍କୁ କଷ୍ଟ ଦେଇଥିଲା। ଜାମି ପ୍ରତିଷ୍ଠା କରିଥିବା ଚ୍ୟାରିଟି ଲାଗି ବର୍ତ୍ତମାନ ସୁଦ୍ଧା ୫୦୦୦ ଡଲାର ପାଣ୍ଠି ଯୋଗାଡ଼ ହୋଇସାରିଛି।