ମାଲକାନଗିରିରେ ୩୬ କରୋନା ଆକ୍ରାନ୍ତ ଚିହ୍ନଟ: ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ରେ ପହଞ୍ଚିଲା

କୋରୁକୋଣ୍ଡା,୧୨ା୭(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ରବିବାର ମାଲକାନଗିରି ପୌରପରିଷଦ, ଖଇରପୁଟ ବ୍ଲକ ଏବଂ ବାଲିମେଳା ଏନ୍‌ଏସିରେ ମୋଟ୍‌ ୩୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ମାଲକାନଗିରି ଜିଲାପାଳ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ଚିହ୍ନଟ ହୋଇଥିବା ୩୬ ଆକ୍ରାନ୍ତଙ୍କ ମଧ୍ୟରୁ ୨୦ ଆକ୍ରାନ୍ତ ମାଲକାନଗିରି ପୌରପରିଷଦର ହୋଇଥିବା ବେଳେ ୧୫ ଆକ୍ରାନ୍ତ ବାଲିମେଳା ଏନ୍‌ଏସିର ଏବଂ ଜଣେ ଆକ୍ରାନ୍ତ ଖଇରପୁଟ ବ୍ଲକର ବୋଲି ଜଣାପଡ଼ିଛି। ତେବେ ଚିହ୍ନଟ ହୋଇଥିବା ସମସ୍ତ ୩୬ ଆକ୍ରାନ୍ତଙ୍କ ମଧ୍ୟରୁ ମାଲକାନଗିରି ପୌରପରିଷଦର ୧୯ ଆକ୍ରାନ୍ତ ପୂର୍ବ ଆକ୍ରାନ୍ତମାନଙ୍କ ସଂସ୍ପର୍ଶରେ ଥିବା ସହିତ କଣ୍ଟେନମେଣ୍ଟ ଅଞ୍ଚଳର ହୋଇଥିବା ବେଳେ ଜଣେ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ନ ଥିବା ସୂଚନା ମିଳିଛି। ସେହିପରି ବାଲିମେଳା ଏନ୍‌ଏସିର ୧୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଆକ୍ରାନ୍ତ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଥିବା ସହ କଣ୍ଟେନ୍‌ମେଣ୍ଟ୍‌ ଅଞ୍ଚଳର ଏବଂ ଜଣେ ତେଲେଙ୍ଗାନା ଫେରନ୍ତା ହେବା ସହିତ କ୍ୱାରାଣ୍ଟାଇନ୍‌ରେ ଥବା ଏବଂ ଜଣେ ଆକ୍ରାନ୍ତ ଖଇରପୁଟ ବ୍ଲକର ବୋଲି ଜିଲାପାଳ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ତେବେ ପୂର୍ବରୁ ୧୩୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୩୬ ପଜିଟିଭ୍‌ ଚିହ୍ନଟ ପରେ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ରେ ପହଞ୍ଚିଛି। ସେଥିମଧ୍ୟରୁ ୧୦୧ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବର୍ତ୍ତମାନ ୬୯ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଜିଲାବାସୀ ଆତଙ୍କିତ ହୋଇପଡ଼ିଛନ୍ତି।