୬ ମାସରେ ୩୬ କୋଟିର ଠକେଇ

ଭୁବନେଶ୍ୱର,୧୨ା୭(ସତ୍ୟଜିତ୍‌ ରାଉତ): ବ୍ୟାପକ ସଚେତନତା ସତ୍ତ୍ୱେ ସାଇବର ଠକେଇ ବଢ଼ିବାରେ ଲାଗିଛି। ପୋଲିସ ପାଇଁ ଏହା ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ଭୁବନେଶ୍ୱରରେ ଗତ ୬ ମାସରେ ପ୍ରାୟ ୩୬ କୋଟି ଟଙ୍କା ସାଇବର ଠକେଇ ହୋଇଛି। ଗତ ଜାନୁଆରୀରୁ ଜୁନ ମଧ୍ୟରେ ୨୧ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ଏମାନଙ୍କ ମଧ୍ୟରେ ୫ ଜଣ ଆନ୍ତଃରାଜ୍ୟ ସାଇବର ଠକ ରହିଛନ୍ତି। ଭୁବନେଶ୍ୱର ସମେତ ଆଖପାଖ ଅଞ୍ଚଳରୁ ସାଇବର ହେଲ୍ପ ଡେସ୍କକୁ ୨ହଜାର ୩୯୪ ଅଭିଯୋଗ ଆସିଥିବାବେଳେ ସାଇବର କ୍ରାଇମ୍‌ ଓ ଅର୍ଥନୈତିକ ଅପରାଧ ଥାନା ପକ୍ଷରୁ ଏ ସଂକ୍ରାନ୍ତରେ ୧୧୦ ମାମଲା ପଞ୍ଜୀକୃତ ହୋଇଛି। ପୋଲିସ ତଦନ୍ତ କରି ଠକଙ୍କ ବ୍ୟାଙ୍କ ଆକାଉଣ୍ଟରେ ୯ କୋଟି ୫୦ ଲକ୍ଷ ଟଙ୍କା ଫ୍ରିଜ୍‌ କରିଛି। ତେବେ ଏହି ଟଙ୍କାରୁ ଠକେଇର ଶିକାର ଲୋକଙ୍କୁ ୪୬ଲକ୍ଷ ଫେରସ୍ତ କରାଯାଇଛି। ତେବେ ସାଇବର ଠକମାନେ ୟୁପିଆଇ ଠକେଇରେ ଅଧିକ ଟଙ୍କା ନେଇଯାଇଛନ୍ତି। ସମସ୍ତ ଅଭିଯୋଗରୁ ୟୁପିଆଇ ସମ୍ବନ୍ଧିତ ୯୬୬ ଠକେଇ, ସାମାଜିକ ଗଣମାଧ୍ୟମ ସମ୍ପର୍କିତ ୫୫୪, ଆର୍‌ଟିଜିଏସ୍‌/ଏନ୍‌ଇଏଫ୍‌ଟି ୨୮୨, କ୍ରେଡିଟ କାର୍ଡ ସମ୍ବନ୍ଧୀୟ ୧୧୦ ଆଦି ଠକେଇ ରହିଛି। ଏ ସଂକ୍ରାନ୍ତରେ ଖବରଦାତା ସମ୍ମିଳନୀରେ ଟୁଇନ୍‌ ସିଟି ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, ସାଇବର ଠକେଇର ଶିକାର ଆମ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ସାଇବର ଥାନାରେ ମାନବ ସମ୍ବଳ ବଢ଼ାଇବା ସହ ଜଣେ ଏସିପି ର଼୍ୟାଙ୍କର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ତେବେ ଲୋକମାନଙ୍କୁ କମିଶନର ଏନେଇ ଅପିଲ୍‌ କରିଛନ୍ତି ଯେ, ଠକେଇ ହେଲେ ସଙ୍ଗେ ସଙ୍ଗେ ଥାନା କିମ୍ବା ବ୍ୟାଙ୍କକୁ ଦୌଡ଼ନ୍ତୁ ନାହିଁ। ପ୍ରଥମେ ସାଇବର ହେଲ୍ପ ଲାଇନ୍‌ ନମ୍ବର (୧୯୩୦)କୁ କଲ୍‌ କରି ଆର୍ଥିକ କାରବାରର ତଥ୍ୟ ଦିଅନ୍ତୁ। ଆମ ପକ୍ଷରୁ ଟ୍ରାଞ୍ଜାକ୍ସନ୍‌ ଫ୍ରିଜ୍‌ ହେବା ପରେ ଥାନା କିମ୍ବା ବ୍ୟାଙ୍କକୁ ଯାଇ ରିପୋର୍ଟ କରିବାକୁ କମିଶନର ପରାମର୍ଶ ଦେଇଛନ୍ତି।