ସକାଳୁ ଟପିଲାଣି ୩୬ ଡିଗ୍ରୀ, ସିଭିୟର ହିଟ୍ ୱେଭ୍ ପାଇଁ ୪ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର,୧୮।୪: ଜଳୁଛି ଓଡ଼ିଶା। ରାଜ୍ୟବାସୀଙ୍କୁ ଆହୁରି କଲବଲ କରିବ ତାତି । ଆଜିଠୁ ଗ୍ରୀଷ୍ମ ପ୍ରବାହ ଶିଖରକୁ ଛୁଇଁବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଯାହା ସକାଳୁ ସକାଳୁ ଅନୁଭୂତ ହେଲାଣି। ସକାଳ ସାଢେ ୮ଟା ସୁଦ୍ଧା ୧୮ ସହରର ତାପମାତ୍ରା ୩୦ ଡିଗ୍ରୀ ଅତିକ୍ରମ କରିଛି । ୩୫.୮ ଡିଗ୍ରୀ ସହ ତାଳଚେର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଅନୁଗୁଳ ଓ ବାଲେଶ୍ୱରରେ ୩୫ ଡିଗ୍ରୀ, ଜଗତସିଂହପୁରରେ ୩୪.୮, ଭବାନୀପାଟଣା, ନୟାଗଡ଼ ଓ ବାରିପଦାରେ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ରାଜଧାନୀ ଭୁବନେଶ୍ୱରରେ ପାରଦ ୩୩.୪ ଡିଗ୍ରୀ ଛୁଇଁଛି । ଆହୁରି ଦୁଇ ଦିନ ଯାଏ ତାତିରୁ ମିଳିବନି ନିସ୍ତାର । କିଛି ଅଞ୍ଚଳରେ ଦିନର ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି । ଆଜିଠୁ ଆସନ୍ତା ରବିବାର ଅର୍ଥାତ ୨୦ ତାରିଖ ଯାଏଁ ରାଜ୍ୟର ୪ଟି ଜିଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ସେହି ଜିଲାଗୁଡିକ ହେଉଛି ମୟୂରଭଞ୍ଜ, ନୟାଗଡ, ନୂଆପଡା ଓ ଗଜପତି । ତେଣୁ ଏହି ୪ ଜିଲାକୁ ସିଭିୟର ହିଟ ୱେଭ ପାଇଁ ଦୁଇ ଦିନ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିସହ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି । ତେବେ ୨୦ ତାରିଖରୁ ୨୩ ତାରିଖ ମଧ୍ୟରେ ପାଗ ମେଘୁଆ ରହିବା ସହ କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ।

Share