ଗାଜା ଯୁଦ୍ଧରେ ୩୬ ସାମ୍ବାଦିକ ନିହତ

ତେଲ୍‌ ଆଭିଭ୍‌/ ଗାଜା ସିଟି, ୭ା୧୧ (ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ସାମ୍ବାଦିକତା ଏକ ବୃତ୍ତି ନୁହେଁ, ମିଶନ। ଏହି ଅଭିଯାନରେ ଥାଇ ଯୁଦ୍ଧ ରିପୋର୍ଟିଂ କରୁଥବା ଖବରଦାତାମାନଙ୍କ ଅନୁଭୂତି ସ୍ବତନ୍ତ୍ର। ଗାଜା ଭିତରେ ରହି ଯୁଦ୍ଧର ଘନଘଟା କଭର କରୁଥିବା ପାଲେଷ୍ଟିନୀୟ ଖବରଦାତାଙ୍କ ଦୃଷ୍ଟାନ୍ତ ବିଶ୍ୱରେ ବିରଳ। ସେମାନେ ଯୁଦ୍ଧର ବିବରଣୀ/ଦୃଶ୍ୟ ପାଠକ ବା ଦର୍ଶକଙ୍କ ନିକଟରେ ପହଞ୍ଚାଇବା ପାଇଁ କୌଣସି ଅନ୍ୟ ଦେଶର ସୀମାକୁ ଯାଇନାହାନ୍ତି, ବରଂ ଯୁଦ୍ଧ ସେମାନଙ୍କ ଘରକୁ ଆସିଯାଇଛି। ସେମାନଙ୍କ ଛାତ ଉପରେ ବୋମା ବର୍ଷା ହେଉଛି। ଗାଜାରେ ଲୁଚିବା ପାଇଁ ସ୍ଥାନ ନାହିଁ। ସେଠାରୁ ପଳାୟନ ଲାଗି ପନ୍ଥା ନାହିଁ ଏବଂ ଗାଜାରେ ରହିବାର ମାନେ ହେଉଛି ମୃତ୍ୟୁ। ହେଲ୍‌ମେଟ ଓ ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ କୌଣସି କାମକୁ ନୁହେଁ। ଏସବୁ ଜାଣି ସୁଦ୍ଧା ଖବରଦାତାମାନେ ଅଦ୍ୟାବଧି ଗାଜାଠାରୁ ରିପୋର୍ଟିଂ ବନ୍ଦ କରିନାହାନ୍ତି। ସେମାନଙ୍କ ଅନେକ ସାଥୀ ହତ୍ୟାର ଶିକାର ହେବା ପରେ ମଧ୍ୟ ରିପୋର୍ଟିଂ ଜାରି ରହିଛି। ଏହି ଖବରଦାତାମାନେ ଖବର ପାଇଁ ନିଜ ଜୀବନକୁ ବାଜି ଲଗାଇ ସାହସ ଓ ସାଧନର ସବୁ ଆହ୍ବାନକୁ ନୂ୍ୟନ ପ୍ରମାଣିତ କରିଛନ୍ତି। ବିନା ଖାଦ୍ୟ, ପାନୀୟ ଓ ଦରମାରେ ରିପୋର୍ଟିଂ କରୁଥିବା ପାଲେଷ୍ଟିନୀୟ ରିପୋର୍ଟରମାନେ କର୍ମଭୂମି ଯୁଦ୍ଧଭୂଇଁରେ ମୃତ୍ୟୁକୁ ଆଦରିନେଉଛନ୍ତି। ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଶକ୍ତିଶାଳୀ ଇସ୍ରାଏଲୀ ଡିଫେନ୍ସ ଫୋର୍ସେସ୍‌ (ଆଇଡିଏଫ୍‌) ସେମାନଙ୍କୁ ଜାଣିଶୁଣି ଟାର୍ଗେଟ କରୁଥିବା ଅଭିଯୋଗ ହୋଇଛି।
ରିପୋର୍ଟିଂ କଲାବେଳେ ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟର କୌଣସି ମୂଲ୍ୟ ନାହିଁ। ତେଣୁ ପ୍ରେସ୍‌ ଲେଖାଥିବା ସୁରକ୍ଷା କବଚକୁ ନିଜ ଦେହରୁ ଉତାରିଦେଇଛନ୍ତି ପାଲେଷ୍ଟିନୀୟ କର୍ତ୍ତୃପକ୍ଷଙ୍କ ଟିଭି ଚ୍ୟାନେଲ ପାଇଁ କାମ କରୁଥିବା ସଲମାନ୍‌ ଅଲ-ବସିର। କାରଣ ତାଙ୍କ ସହକର୍ମୀ ମୋହମେଦ୍‌ ଅବୁ ହତାବ୍‌ ଅଧଘଣ୍ଟା ପୂର୍ବରୁ ନାସେର ହସ୍ପିଟାଲରୁ ଲାଇଭ୍‌ ରିପୋର୍ଟିଂ କରିବା ସମୟରେ ଏପରି ଜ୍ୟାକେଟ୍‌ ପରିଧାନ କରିଥିଲେ। କିନ୍ତୁ ତାହା ତାଙ୍କୁ ସୁରକ୍ଷା ଦେଇପାରି ନ ଥିଲା। ଇସ୍ରାଏଲର ରକେଟ୍‌ ମାଡ଼ରେ ହତାବ୍‌ ନିହତ ହୋଇଛନ୍ତି। ତାଙ୍କ ମୃତଦେହ ପଡ଼ିଥିବା ସ୍ଥାନରୁ ରିପୋର୍ଟିଂ ବେଳେ ସଲମାନ୍‌ କାନ୍ଦି କାନ୍ଦି କହିଥିଲେ, ଆଉ ସହି ହେଉନାହିଁ। ଆମ ଦୁଇଜଣଙ୍କ ମଧ୍ୟରେ କେବଳ ଗୋଟିଏ ଫରକ୍‌ ରହିଛି। ତାହା ହେଉଛି, ମୃତ୍ୟୁ କାହାକୁ ପ୍ରଥମେ ଓ କାହାକୁ ପରେ କୋଳେଇ ନେବ। ଜଣେ ପରେ ଜଣେ ମରୁଛୁ। ଗାଜା ଉପରେ ଯେଉଁ ବିପତ୍ତି ମାଡ଼ିଆସିଛି, ତାକୁ କାହାରି ଖାତିର ନାହିଁ। ଆମେ ଲାଇଭ୍‌, ଅନ୍‌ ଏୟାର୍‌ ଭିକ୍ଟିମ୍‌। ଆମେ ସେହି ପୀଡ଼ିତ, ମରିବା ପାଇଁ ନିଜ ପାଳିକୁ ଅପେକ୍ଷା କରିବା ବ୍ୟତୀତ ଯାହାଙ୍କ ଅନ୍ୟ ଗତି ନାହିଁ। ଏସବୁ ଦେଖି ନ୍ୟୁଜ୍‌ରୁମ୍‌ରେ ଆଙ୍କରିଂ କରୁଥିବା ଉପସ୍ଥାପିକାଙ୍କ ଆଖିରେ ମଧ୍ୟ ଲୁହ ଆସିଯାଇଥିଲା।

Share