ବାସହରା ହେବେ ୩୬ ଲକ୍ଷ ଆମେରିକୀୟ

ଓ୍ବାଶିଂଟନ, ୨।୮: ଆମେରିକାରେ ଘରଭଡ଼ା ନେଇ ରହୁଥିବା ପ୍ରାୟ ୩୬ ଲକ୍ଷ ଲୋକ ଏଣିକି ବାସହରା ହୋଇପାରନ୍ତି। କାରଣ ଭଡ଼ାଘରୁ ବାହାର କରିଦେବା ଉପରେ ଲାଗିଥିବା ଦେଶବ୍ୟାପୀ ବ୍ୟାନ୍‌ ସମୟସୀମା ରବିବାର ପୂରିଯାଇଛି। ସେପଟେ କରୋନା ସଂକ୍ରମଣ ବଢ଼ିଚାଲିଥିବାବେଳେ ରାଜନୈତିକ କାଦୁଅଫିଙ୍ଗା ଯୋଗୁ ଏହି ସମୟସୀମାକୁ ବଢ଼ାଯାଇପାରିନାହିଁ। ହ୍ବାଇଟ୍‌ ହାଉସ ଏହା ଉପରେ କିଛି କରିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିକଟରେ ରାୟ ଦେଇଥିଲେ। ରାଷ୍ଟ୍ରପତି ଜୋ ବାଇଡେନ୍‌ ଉକ୍ତ ୧୧ ମାସିଆ ମୋରାଟୋରିୟମକୁ ବଢ଼ାଇବା ପାଇଁ ଚଳିତ ସପ୍ତାହରେ କଂଗ୍ରେସକୁ ଅନୁରୋଧ କରିଥିଲେ। ଅକ୍ଟୋବର ମଧ୍ୟଭାଗ ପର୍ଯ୍ୟନ୍ତ ଏଭିକ୍ସନ ବ୍ୟାନ୍‌ ବଢ଼ାଇବା ପାଇଁ ଡେମୋକ୍ରାଟ ପକ୍ଷରୁ ଉଦ୍ୟମ ହେଉଥିବାବେଳେ ରିପବ୍ଲିକାନ ସଦସ୍ୟମାନେ ଏଥିରେ ପ୍ରତିବନ୍ଧକ ସାଜିଛନ୍ତି। ଗ୍ରୀଷ୍ମାବକାଶ ଯୋଗୁ ଶୁକ୍ରବାରଠାରୁ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ ମୁଲତବୀ ରହିଥିବାରୁ ଉକ୍ତ କଟକଣା ଅବଧି ବଢ଼ାଯାଇପାରିନାହିଁ। ଫଳରେ ଭଡ଼ାଟିଆଙ୍କ ପାଇଁ ପର୍ଯ୍ୟାପ୍ତ ସରକାରୀ ପାଣ୍ଠି ରହିଥିଲେ ମଧ୍ୟ ତାହା ଖର୍ଚ୍ଚ ହୋଇପାରୁନାହିଁ। ଏହାର ପ୍ରତିବାଦରେ ଅନେକ ବାମପନ୍ଥୀ ଡେମୋକ୍ରାଟ କ୍ୟାପିଟୋଲ ବାହାରେ ସାରା ରାତି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆମେ ରାତି ସାରା କ୍ୟାପିଟୋଲ ବାହାରେ ଶୋଇ ରିପବ୍ଲିକାନ ସଦସ୍ୟମାନଙ୍କୁ ଗୃହକୁ ଆସି ସେମାନଙ୍କ କାର୍ଯ୍ୟ କରିବା ପାଇଁ ଆହ୍ବାନ ଦେଉଛୁ ବୋଲି କଂଗ୍ରେସ ସଦସ୍ୟା କୋରି ବୁଶ୍‌ ଟୁଇଟ୍‌ କରିଛନ୍ତି।

Share