ଶେଷ ପର୍ଯ୍ୟାୟ ମତଦାନ ପାଇଁ ୩୬ ହଜାର ପୋଲିସ

ଭୁବନେଶ୍ୱର,୧।୬(ସତ୍ୟଜିତ ରାଉତ): ରାଜ୍ୟରେ ଶନିବାର ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ ହେବ। ଏଥିପାଇଁ ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଶୃଙ୍ଖଳିତ ତଥା ସୁରକ୍ଷିତ ନିର୍ବାଚନ କରିବାକୁ ବିଭିନ୍ନ ର଼୍ୟାଙ୍କ୍‌ର ୩୬ ହଜାର ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏଥିରେ ୧୨୬ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ ଓ ୮୬ ପ୍ଲାଟୁନ୍‌ ସଶସ୍ତ୍ର ବାହିନୀ ରହିଛନ୍ତି ବୋଲି ପୋଲିସ ସେବା ଭବନରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଡିଜିପି କହିଛନ୍ତି, ଶେଷ ପର୍ଯ୍ୟାୟ ମତଦାନ ହେବାକୁ ଥିବା ୯ ପୋଲିସ ଜିଲାରେ ୮ ହଜାର ୭୫୨ ସ୍ଥାନରେ ୧୦ ହଜାର ୮୮୨ ମତଦାନ କେନ୍ଦ୍ର ରହିଛି। ଏହା ମଧ୍ୟରୁ ପ୍ରାୟ ୨୧ ପ୍ରତିଶତ ବୁଥ୍‌ ସମ୍ବେଦନଶୀଳ। ତେବେ ଶନିବାର ହେବାକୁ ଥିବା ନିର୍ବାଚନରେ ୪୪ଜଣ ଅତିରିକ୍ତ ଏସ୍‌ପି, ୯୯ ଡିଏସ୍‌ପି, ୨୧୦ ଇନ୍ସପେକ୍ଟର, ୨୫୮୩ ଏସ୍‌ଆଇ/ ଏଏସ୍‌ଆଇ, ୯ ହଜାର ୪୭୬ କନ୍‌ଷ୍ଟେବଲ/ହାବିଲଦାର ଓ ୮ ହଜାର ୮୩ ଜଣ ଗୃହରକ୍ଷୀ/ଗ୍ରାମରକ୍ଷୀ ନିୟୋଜିତ ହୋଇଛନ୍ତି। ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ଭଦ୍ରକ ଓ ବାଲେଶ୍ୱର ଜିଲା ପାଇଁ ୪ ଯୁବ ଆଇପିଏସ୍‌ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ଏଥିସହ ୮୪୩ଟି ମୋବାଇଲ ପାଟ୍ରୋଲିଂ ପାର୍ଟି, ୨୫୫ଟି ଫ୍ଲାଇଂ ସ୍କ୍ବାଡ୍‌ ଓ ୨୫୫ ଷ୍ଟାଟିକ ସର୍ଭେଲାନ୍ସ ଟିମ ବୁଲୁଛନ୍ତି। ୬୦ଟି ଚେକ୍‌ପୋଷ୍ଟ ରହିଛି। ସୀମାକୁ ସିଲ୍‌ କରାଯାଇ କଡାକଡି ଯାଞ୍ଚ କରାଯାଉଛି। ୧୩ଟି ଇଭିଏମ୍‌ ଷ୍ଟ୍ରଙ୍ଗରୁମ୍‌ର ସୁରକ୍ଷା ପାଇଁ ଦୁଇସ୍ତରରେ ସୁରକ୍ଷା ଦାୟିତ୍ୱ ବିଭକ୍ତ କରାଯାଇଛି ବୋଲି ଡିଜିପି କହିଛନ୍ତି। ଡିଜି ଆହୁରି କହିଛନ୍ତି, ନିର୍ବାଚନ ପାଇଁ କଡ଼ାକଡି ଯାଞ୍ଚ ଚାଲିଛି। ଜାନୁଆରୀରୁ ଏଯାଏ ୬.୦୭ କୋଟି ଟଙ୍କା ଜବତ ହୋଇଛି। ୭ ଲକ୍ଷ ୧୩୦ ଲିଟର ମଦ ଜବତ ସହ ୪ ହଜାର ୩୦ ବେପାରୀଙ୍କୁ ଗିରଫ କରାଯାଇଛି। ୧୧ ଜଣଙ୍କୁ ଏନ୍‌ଏସ୍‌ଏରେ ବୁକ୍‌ କରାଯାଇଛି। ୮୬୦.୭୮ କୁଇଣ୍ଟାଲ ଗଞ୍ଜେଇ, ୫ କେଜି ବ୍ରାଉନସୁଗାର, ୪ ହଜାର ୬୩୦ ଲିଟର କଫ୍‌ ସିରପ ଜବତ ସହ ୧୨୦୫ ମାମଲାରେ ୧ ହଜାର ୨୫୮ ଜଣଙ୍କୁ ଗିରଫ କରାଯାଇଛି। ସମସ୍ତ ନିର୍ବାଚନ ମଣ୍ଡଳୀର ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଶେଷ ପର୍ଯ୍ୟାୟ ନିର୍ବାଚନ ଶାନ୍ତି ଶୃଙ୍ଖଳା ସହ ସମାପ୍ତ ହେବ ବୋଲି ଡିଜି ଆଶାବ୍ୟକ୍ତ କରିବା ସହ ଦିନରାତି ପରିଶ୍ରମ କରୁଥିବା ପୋଲିସ କର୍ମଚାରୀଙ୍କୁ ଡିଜିପି ସାଧୁବାଦ ଜଣାଇଛନ୍ତି।

Share