ରାଜ୍ୟରେ ଖସୁଛି କରୋନା ଗ୍ରାଫ୍‌: ଆଜି ୩୬୮ ପଜିଟିଭ୍‌ ଚିହ୍ନଟ, ୭ ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର,୭ା୧୨(ବ୍ୟୁରୋ): ସୋମବାର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି। ଆଜି ୩୬୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୧,୫୬୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨୧୨ ଜଣ ଚିହ୍ନଟ ହୋଇଥିବା ବେଳେ ୧୫୬ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୪୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୪୫ ଏବଂ ଅନୁଗୋଳରୁ ୩୦ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ୱରରୁ ୧୬, ବରଗଡ଼ ୧୯, ଭଦ୍ରକ ୧୯, ବଲାଙ୍ଗୀର ୧୮, କଟକ ୨୬, ଦେବଗଡ଼ ୧, ଢେଙ୍କାନାଳ ୪, ଗଞ୍ଜାମ ୬, ଜଗତସିଂହପୁର ୮, ଯାଜପୁର ୬, ଝାରସୁଗୁଡ଼ା ୬, କଳାହାଣ୍ଡି ୬, କନ୍ଧମାଳ ୨, କେନ୍ଦ୍ରାପଡ଼ା ୫, କେନ୍ଦୁଝର ୨୨, କୋରାପୁଟ ୪, ମାଲକାନଗିରି ୧, ମୟୂରଭଞ୍ଜ ୨୪, ନୟାଗଡ଼ ୫, ନୂଆପଡ଼ା ୫, ପୁରୀ ୧୮, ରାୟଗଡ଼ା ୨ ଏବଂ ସମ୍ବଲପୁରରୁ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୋଲ୍‌ ସଂଖ୍ୟା ରହିଛ ୧୦।

ସେହିପରି ଆଜି ରାଜ୍ୟରେ ୭ ଜଣଙ୍କ ଜୀବନ ନେଇଛି କରୋନା। ମୃତକମାନଙ୍କ ମଧ୍ୟରେ କଟକ ଜିଲାରୁ ସର୍ବାଧିକ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବାଲେଶ୍ୱର, ପୁରୀ, ସୁନ୍ଦରଗଡ଼ ଏବଂ ଜଗତସିଂହପୁର ଜିଲାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନାରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୧,୫୬୪ରେ ପହଞ୍ଚିଥିବା ବେଳେ ୩,୧୫,୮୪୦ଜଣ ସୁସ୍ଥ ହୋଇଛନ୍ତି। ୩୮୯୩ ଜଣ ଚିକିତ୍ସିତ ହେଉଛନ୍ତି। ୧୭୭୮ ଜଣଙ୍କ ମୃତ୍ୟୁ ଘଟିଛି।

Share