୧୨ ବର୍ଷରେ ଅବକାରୀ ରାଜସ୍ବ ଆଦାୟରେ ୩୬୮% ବୃଦ୍ଧି

ଭୁବନେଶ୍ୱର, ୨।୧୦(ସୁନିତ୍‌ ମିଶ୍ର):ରାଜ୍ୟରେ ୨୦୧୨ ମସିହାରେ ଅବକାରୀ ରାଜସ୍ବ ଯେତିକି ଥିଲା ୨୦୨୨-୨୩ ବର୍ଷରେ ଏହା ୩୬୮ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୨ରେ ଅବକାରୀ ରାଜସ୍ବ ଆକାରରେ ରାଜ୍ୟ ସରକାର ୧୩୭୯.୯୧ କୋଟି ଟଙ୍କା ପାଇଥିବା ବେଳେ ୨୦୨୨-୨୩ ଆର୍ଥିକ ବର୍ଷରେ ଏହା ୬୪୫୫.୦୬ କୋଟି ଟଙ୍କାରେ ପହଞ୍ଚିଛି ବୋଲି ଅବକାରୀ ମନ୍ତ୍ରୀ ଅଶ୍ୱିନୀ ପାତ୍ର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଗତ ୧୨ ବର୍ଷର ତଥ୍ୟ ଅନୁଯାୟୀ କେବଳ କୋଭିଡ୍‌ କଟକଣା ଲାଗି ଗୋଟିଏ ବର୍ଷ ୨୦୨୦-୨୧ରେ ରାଜସ୍ବ ଆଦାୟରେ ୯.୮୩ ପ୍ରତିଶତ ହ୍ରାସ ପାଇଥିବାବେଳେ ବାକି ସବୁବର୍ଷ ରାଜସ୍ବ ପୂର୍ବ ତୁଳନାରେ ବଢ଼ିଚାଲିଛି। ବିଧାନସଭାରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ପାତ୍ର କହିଛନ୍ତି ଯେ, ୨୦୧୧-୧୨ରେ ରାଜ୍ୟ ସରକାର ୧୩୭୯. ୯୧ କୋଟି ଟଙ୍କା ରାଜସ୍ବ ପାଇଥିବା ବେଳେ ଏହା ଗତ ବର୍ଷ ତୁଳନାରେ ୨୬.୦୯ ପ୍ରତିଶତ ଅଧିକ ଥିଲା। ମନ୍ତ୍ରୀ ଆହୁରି କହିଛନ୍ତି ଯେ, ୨୦୨୨-୨୩ ବର୍ଷରେ ରାଜ୍ୟରେ ୫୦୯ଟି ଅଫ୍‌ ସପ୍‌ ମୁଖ୍ୟ ମଦ ଦୋକାନ, ୧୨୪୦ଟି ଅଫ ସପ୍‌ ଶାଖା ମଦ ଦୋକାନ, ୨ଟି ପାଚୋଇ ଦୋକାନ, ୫୧ଟି ତାଡି ଦୋକାନ, ୩୫ଟି ମିଲିଟାରି କ୍ୟାଣ୍ଟିନ, ୪୬ଟି ବିୟର ପାର୍ଲର, ୧୯ଟି କ୍ଲବ ଅନ, ହୋଟେଲ ଓ ରେଷ୍ଟୁରାଣ୍ଟ, ଠିପିଖୋଲା ମଦ ଦୋକାନ ୬୭୩ଟି ଚାଲୁଥିଲା। ସେହିପରି ୨୦୨୩-୨୪ ସୁଦ୍ଧା ପ୍ରଚଳନ ଥିବା ମଦ ଦୋକାନ ତଥ୍ୟ ଅନୁୟାୟୀ, ରାଜ୍ୟରେ ଏବେସୁଦ୍ଧା ୧୯୨୮ଟି ବିଭିନ୍ନ କିସମର ମଦ ଦୋକାନ ପ୍ରଚଳନ ଅଛି। ବିୟର ପାର୍ଲର ୪୫ଟି, କ୍ଲ ଅନ୍‌ ୧୯ଟି, ହୋଟେଲ ୧୯୧ଟି, ଠିପି ବନ୍ଦ ବିଦେଶୀ ମଦ ଦୋକାନ ୧୧୫୬ଟି, ବିଦେଶୀ ପ୍ରିମିୟମ ମଦ ଦୋକାନ ୧୫ଟି ଏବଂ ରେଷ୍ଟୁରାଣ୍ଟ ଅନ ସପ୍‌ ୫୦୨ଟି ପ୍ରଚଳନ ଅଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଅଦ୍ୟାବଧି ନୂତନ ଠିପି ଖୋଲା ମଦ ଦୋକାନ ପାଇଁ ୧୧ଟି ଦରଖାସ୍ତ ଜିଲାସ୍ତରରେ ଗ୍ରହଣ କରାଯାଇଛି।

Share