ଜିଲାରେ ୩୭, ୨୨୯ ଦିବ୍ୟାଙ୍ଗ ସ୍ବରୋଜଗାରକ୍ଷମ

ବାଲେଶ୍ୱର ଅଫିସ, ୨୪।୩: ବାଲେଶ୍ୱର ଜିଲାର ୧୨ଟି ବ୍ଲକରେ ମୋଟ ୪୭୫୫୮ ଦିବ୍ୟାଙ୍ଗଙ୍କୁ ଚିହ୍ନଟ କରାଯାଇ ଏକକ ଦିବ୍ୟାଙ୍ଗ ପରିଚୟ ପ୍ରମାଣପତ୍ର (ୟୁଡିଆଇଡ଼ି ସାର୍ଟିଫିକେଟ୍‌) ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଯୋଜନାର ମାର୍ଗଦର୍ଶିକା ଓ ଅନ୍ୟାନ୍ୟ ଯୋଜନା ଅନୁସାରେ ଏହି ସୁଯୋଗ ଆବଶ୍ୟକ କରୁଥିବା ଯୋଗ୍ୟ ବିବେଚିତ ୩୭,୨୨୯ ଜଣ ଦିବ୍ୟାଙ୍ଗଙ୍କୁ ସ୍ବରୋଜଗାରକ୍ଷମ ଓ ଆତ୍ମନିଯୁକ୍ତି ପ୍ରଦାନ ନିମନ୍ତେ ପଦକ୍ଷେପ ନିଆଯାଇଥିବା ବିଧାନସଭାରେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।
ସ୍ବରୋଜଗାରକ୍ଷମ ଓ ଆତ୍ମନିର୍ଭରଶୀଳ କରିବା ନିମନ୍ତେ ବିଭିନ୍ନ ଅନୁଷ୍ଠାନରେ ‘ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ’ ପ୍ରଦାନ କରାଯାଉଛି। ଏହାଛଡ଼ା ଦିବ୍ୟାଙ୍ଗମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ଭିନ୍ନକ୍ଷମ ସଦସ୍ୟ ସମ୍ବଳିତ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ମାନଙ୍କୁ ବିନା ସୁଧରେ ଋଣ ପ୍ରଦାନ କରାଯାଉଛି ଏବଂ ଡିଆର୍‌ଆଇ ଋଣ ଯୋଜନାରେ କମ୍‌ ସୁଧରେ ବ୍ୟାଙ୍କ ଋଣ ଦିଆଯାଉଛି। ଏହାସହିତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସେମାନଙ୍କ ବ୍ୟବସାୟର ସୁଦୃଢ଼ୀକରଣ ନିମନ୍ତେ ସହାୟତା ପ୍ରଦାନ କରାଯାଉଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି।
ସୂଚନା ଯେ, ଜିଲାର ବାହାନଗା ବ୍ଲକରେ ମୋଟ ୨୫୪୦ଜଣ ଦିବ୍ୟାଙ୍ଗ ଥିବାବେଳେ ୨୫୨୪ଜଣ ସହାୟତା ପାଉଛନ୍ତି। ବାଲେଶ୍ୱର ସଦର ଓ ବାଲେଶ୍ୱର ପୌରାଞ୍ଚଳରେ ମୋଟ୍‌ ୫୪୯୩ଜଣ ଦିବ୍ୟାଙ୍ଗ ଥିବାବେଳେ ୪୪୮୨ଜଣ ସହାୟତା ପାଉଛନ୍ତି। ସେହିପରି ବାଲିଆପାଳ ବ୍ଲକରେ ମୋଟ୍‌ ୪୪୮୭ ଜଣ ଥିବାବେଳେ ୩୫୭୫ ଜଣ ସହାୟତା, ବସ୍ତା ବ୍ଲକରେ ମୋଟ୍‌ ୩୨୮୨ ଜଣ ଥିବାବେଳେ ୨୭୪୮ ଜଣ ସହାୟତା, ଭୋଗରାଇ ବ୍ଲକରେ ମୋଟ୍‌ ୭୭୧୭ ଜଣ ଥିବାବେଳେ ୪୮୦୮ ଜଣ ସହାୟତା, ଜଳେଶ୍ୱର ଓ ଜଳେଶ୍ୱର ପୌରାଞ୍ଚଳରେ ମୋଟ୍‌ ୪୭୯୫ଜଣ ଥିବାବେଳେ ୩୬୩୪ଜଣ ସହାୟତା, ଖଇରା ବ୍ଲକରେ ମୋଟ୍‌ ୩୩୬୯ ଜଣ ଥିବାବେଳେ ୨୭୦୬ ଜଣ ସହାୟତା, ନୀଳଗିରି ଓ ନୀଳଗିରି ଏନ୍‌ଏସିରେ ମୋଟ୍‌ ୩୮୩୧ ଜଣ ଥିବାବେଳେ ୨୨୪୫ ଜଣ ସହାୟତା, ଔପଦା ବ୍ଲକରେ ମୋଟ୍‌ ୧୫୨୭ ଜଣ ଥିବାବେଳେ ୧୬୨୧ ଜଣ ସହାୟତା, ରେମୁଣା ବ୍ଲକରେ ମୋଟ୍‌ ୩୯୭୫ ଜଣ ଥିବାବେଳେ ୪୦୯୧ ଜଣ ସହାୟତା, ସିମୁଳିଆ ବ୍ଲକରେ ମୋଟ୍‌ ୨୯୦୪ ଜଣ ଥିବାବେଳେ ୨୦୭୪ ଜଣ ସହାୟତା ଏବଂ ସୋର,ସୋର ପୌରାଞ୍ଚଳରେ ମୋଟ୍‌ ୩୬୩୮ ଜଣ ଦିବ୍ୟାଙ୍ଗ ଥିବାବେଳେ ୨୭୨୧ ଜଣ ସହାୟତା ପାଉଥିବା ରିପୋର୍ଟରେ ଦର୍ଶାଯାଇଛି।