୬୬ ଘଣ୍ଟାରେ ୩୭ ଥର ଭୂକମ୍ପ: ଶୋଇବାକୁ ବି ଲାଗୁଛି ଭୟ…

ଆଙ୍କରା,୨୫।୨ : ଭୂକମ୍ପ ତୁର୍କୀକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସସ୍ତୁପରେ ପରିଣତ କରିଦେଇଛି। ଗତ ଭୂକମ୍ପ ଯୋଗୁ ତୁର୍କୀରେ ଏପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାର କାର୍ଯ୍ୟ ଚାଲିଛି। ଗତ ୬୬ ଘଣ୍ଟା ମଧ୍ୟରେ ଏଠାରେ ୩୭ ଥର ଭୂକମ୍ପ ହୋଇଛି। ପରିସ୍ଥିତି ଏଭଳି ହୋଇଛି ଯେ, ଲୋକେ ଭୂକମ୍ପ ଭୟରେ ରାତିରେ ଶୋଇବାକୁ ବି ଭୟ କରୁଛନ୍ତି।

ନିଜ ପ୍ରିୟ ପରିଜନଙ୍କୁ ହରାଇ ଥିବା ଲୋକଙ୍କ ଆଖିରୁ ଲୁହ ଶୁଖିବାର ନା ଧରୁନି। ସେହିପରି ନିଖୋଜ ହୋଇଥିବା ପରିବାର ସଦସ୍ୟଙ୍କୁ ଲୋକଙ୍କ ଆଖି ଖୋଜି ବୁଲୁଛି। କାଳେ ପ୍ରିୟ ପରିଜନ ଫେରି ଆସିବେ। ତାଣ୍ଡବ ରଚିଥିବା ଭୂକମ୍ପର ୧୯ ଦିନ ପରେ ମଧ୍ୟ ଲୋକେ ମନରେ ଆଶା ବାନ୍ଧି ବସିଛନ୍ତି।

ତୁର୍କୀରେ ହୋଇଥିବା ଭୂକମ୍ପ ବନ୍ଦ ହେବାର ନାମ ନେଉନାହିଁ। ଭୂକମ୍ପ ଯୋଗୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି। ଫେବୃୟାରୀ ୨୫ରେ ଅପରାହ୍ନରେ ଏଠାରେ ଭୂକମ୍ପ ଅନୁଭୁତ ହୋଇଥିଲା। ତୁର୍କୀର ନିଗଡେ ପ୍ରଦେଶ ଏହି ଭୂକମ୍ପର କେନ୍ଦ୍ର ବୋଲି କୁହାଯାଉଛି।

ଏହାପୂର୍ବରୁ ଫେବୃଆରୀ ୨୦ ରେ ତୁର୍କୀରେ ୬.୪ ତୀବ୍ରତାଯୁକ୍ତ ଏକ ଭୂକମ୍ପ ହୋଇଥିଲା। ଏହାପୂର୍ବରୁ, ଫେବୃଆରୀ ୬ ରେ ଗୋଟିଏ ପରେ ଗୋଟିଏ ଅନେକ ଭୂକମ୍ପ ଅନୁଭୂତ ହୋଇଥିଲା ଯେଉଁଥିରେ ତୁର୍କୀ ଏବଂ ସିରିଆ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା।

Share