୩୭ ଅନ୍ତେବାସୀ ଅସୁସ୍ଥ, ଡାକ୍ତରୀ ଟିମ୍‌ ପହଞ୍ଚି କଲା କୋଭିଡ୍‌ ପରୀକ୍ଷା

ପାଟଣା,୧୪।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଡେଣୁଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରାବାସର ୩୭ ଜଣ ଅନ୍ତେବାସୀ ବୁଧବାର ଅସୁସ୍ଥ ହୋଇପଡ଼ିଛନ୍ତି। ଅନ୍ତେବାସୀଙ୍କ ସହ ୱାର୍ଡେନ ମଧ୍ୟ ଜ୍ୱର, କାଶରେ ପୀଡ଼ିତ ଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ଡାକ୍ତର ଯଶୋବନ୍ତ ମହାନ୍ତଙ୍କ ନେତୃତ୍ୱରେ ଏକ ଟିମ୍‌ ହଷ୍ଟେଲ ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲା। ବୁଧବାର ପୁଣି ଡାକ୍ତର ଲକ୍ଷ୍ମଣ ମହାନ୍ତ ଓ ଯୋଶବନ୍ତ ମହାନ୍ତଙ୍କ ନେତୃତ୍ୱରେ ଡାକ୍ତରୀ ଟିମ୍‌ ବିଦ୍ୟାଳୟରେ ପହଞ୍ଚି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବା ସହ କୋଭିଡ୍‌ ପରୀକ୍ଷା କରାଯାଇଛି। ତେବେ ୪୦ ଶଯ୍ୟାବିଶିଷ୍ଟ ଛାତ୍ରାବାସର ଅବସ୍ଥା ଓ ପରିଚାଳନା ଅତ୍ୟନ୍ତ ଦୟନୀୟ ଥିବା ଦେଖିବାକୁ ମିଳିଛି। ୨ଟି କୋଠରିରେ ୪୦ ପିଲା ରହୁଥିବା ଦେଖିବାକୁ ମିଳିଛି। ବିଦ୍ୟାଳୟ ପରିସରରେ ମଶା ବୃଦ୍ଧି ପାଉଥିଲେ ହେଁ ପିଲାମାନେ ମଶାରି ବ୍ୟବହାର କରୁ ନ ଥିବା ଜଣାପଡ଼ିଛି। ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି।

Share